୨୦୩୫ ସୁଦ୍ଧା ଭାରତ ସ୍ଥାପନ କରିବ ମହାକାଶ କେନ୍ଦ୍ର

ନୂଆଦିଲ୍ଲୀ : ଚନ୍ଦ୍ରରେ ସଫଳ ଅବତରଣ ପରେ ଭାରତୀୟ ମହାକାଶ ଏଜେନ୍ସି (ଇସ୍ରୋ)ର ଗଗନଯାନ ଅଭିଯାନ ପ୍ରସ୍ତୁତି ଦ୍ରୁତ ଗତିରେ ଚାଲିଛି। ୨୦୩୫ ସୁଦ୍ଧା ଭାରତ ମହାକାଶ କେନ୍ଦ୍ର ସ୍ଥାପନ କରିବା ସହିତ ୨୦୪୦ ମଧ୍ୟରେ ଚନ୍ଦ୍ରକୁ ମାନବ ପଠାଇବ।
ଖବର ଅନୁଯାୟୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଭାରତର ମହାକାଶ ଅଭିଯାନର ରୋଡମ୍ୟାପ୍ ପ୍ରସ୍ତୁତ ସମ୍ପର୍କରେ ଇସ୍ରୋ ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ୨୦୩୫ ସୁଦ୍ଧା ଭାରତ ମହାକାଶ କେନ୍ଦ୍ର ସ୍ଥାପନ କରିବ ଓ ୨୦୪୦ ମଧ୍ୟରେ ଚନ୍ଦ୍ରକୁ ମାନବ ପଠାଇବ। ଏ ନେଇ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ଇସ୍ରୋ ମୁଖ୍ୟ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡା ପ୍ରଧାନମନ୍ତ୍ରୀ ଗଗନଯାନର ପ୍ରଥମ ପ୍ରଦର୍ଶନ ଉଡ଼ାଣ ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ସହ ଇସ୍ରୋ ବୈଜ୍ଞାନିକମାନଙ୍କୁ ମଙ୍ଗଳ ଲ୍ୟାଣ୍ଡରର ଶୁକ୍ର ଅର୍ବିଟର ମିଶନରେ କାମ କରିବାକୁ କହିଥିଲେ।
ସୂଚନାଯୋଗ୍ୟ ମହାକାଶରେ ଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଉଭୟ ଆମେରିକା ଓ ରୁଷ ମିଳିତଭାବେ ପ୍ରତିଷ୍ଠା କରିଛନ୍ତି। ଏଥିରେ ୟୁରୋପୀୟ ମହାକାଶ ଏଜେନ୍ସି, ଜାପାନ ଓ କାନାଡାର ମହାକାଶ ଏଜେନ୍ସି ସଂପୃକ୍ତ ଅଛନ୍ତି। କିନ୍ତୁ ଚୀନ ନିଜସ୍ଵ ମହାକାଶ କେନ୍ଦ୍ର ସ୍ଥାପନ କରିସାରିଛି।