ଧାରା ୩୭୦ ଉଚ୍ଛେଦକୁ ବୈଧ ଘୋଷଣା କଲେ ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି କୌଣସି ଭୁଲ୍ କରିନାହାନ୍ତି। ଉଚ୍ଛେଦ ସମ୍ପୂର୍ଣ୍ଣ ରୂପେ ବୈଧ ଓ ଆଇନ ସମ୍ମତ ବୋଲି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି।

ଖବର ଅନୁଯାୟୀ କେନ୍ଦ୍ର ସରକାରଙ୍କ ଧାରା ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏନସି, ପିଡିପି ସମେତ ଏକାଧିକ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି। ଜମ୍ମୁ କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରିବା ନିଷ୍ପତ୍ତି ବେଆଇନ ନୁହଁ ବୋଲି କୋର୍ଟ କହିଛନ୍ତି। ଏଥିସହ
ଜମ୍ମୁ କଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ରହିବ। କିନ୍ତୁ ତୁରନ୍ତ ଜମ୍ମୁ କଶ୍ମୀରକୁ ରାଜ୍ୟ ମାନ୍ୟତା ମିଳୁ। ଏଥିସହ ଆସନ୍ତା ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ଜମ୍ମୁ କଶ୍ମୀରରେ ସାଧାରଣ ନିର୍ବାଚନ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାୟ ପ୍ରକାଶ ସମୟରେ ଖଣ୍ଡପୀଠ କହିଛନ୍ତି ସମ୍ବିଧାନରେ ଧାରା ୩୭୦ ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା। ଏହାର ଉଚ୍ଛେଦ ବେଆଇନ ନୁହଁ। ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ସାର୍ବଭୌମତ୍ୱ ବଜାୟ ରଖି ପାରିବ ନାହିଁ। ଏହା ମଧ୍ୟ ଦେଶର ଅନ୍ୟ ରାଜ୍ୟଗୁଡିକ ସହ ସମାନ।

ସୂଚନାଯୋଗ୍ୟ ସୁପ୍ରିମକୋର୍ଟ ଏହି ମାମଲା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଓ ବିଚାରପତି ସଞ୍ଜୟ କିଷନ୍‌ କୌଲ୍‌, ସଞ୍ଜୀବ ଖାନ୍ନା, ବି. ଆର୍. ଗୱାଇ ଓ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ କରିଥିଲେ। ଏହାପରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟ ପରିବର୍ତ୍ତେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ମିଳିଥିଲା। ଏଥିସହ ଲଦାଖ ମଧ୍ୟ ଜମ୍ମୁ କଶ୍ମୀରରୁ ଅଲଗା ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଗଣିତ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button