ତାଲିବାନୀ ଆଇନ ବିରୋଧରେ ଅଭିଯାନ ଆରମ୍ଭ କଲେ ଆଫଗାନୀ ମହିଳା

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଶରିଆ ଆଇନ ଅନୁଯାୟୀ ସରକାର ପରିଚାଳନା ହେବ। ମହିଳାଙ୍କ ପାଇଁ ବୁର୍ଖା ଓ ହିଜାବ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ପାଠ ପଢ଼ା ଓ ଚାକିରି ଉପରେ କଟକଣା ଲଗାଇଛି ତାଲିବାନ। କିନ୍ତୁ ଏସବୁ ନିୟମକୁ ଆଉ ଖାତିର କରୁ ନାହାନ୍ତି ଆଫଗାନୀ ମହିଳା। ଆଫଗାନ ମହିଳା ଏହାକୁ ବିରୋଧ କରି ପାରମ୍ପରିକ ପୋଷାକ ପିନ୍ଧି ଫଟୋ ସୋଶାଲ ମିଡିଆରେ ଶେଆର କରୁଛନ୍ତି।

ତାଲିବାନ ଡ୍ରେସ୍‌ କୋଡ ବିରୋଧରେ କ୍ୟାମ୍ପେନ ଆରମ୍ଭ କରିଛନ୍ତି ଆଫଗାନୀ ମହିଳା ଡକ୍ଟର ବହାର ଜଲାଲୀ। ଆଫଗାନିସ୍ତାନର ଏକ ୟୁନିଭରସିଟିରେ ଇତିହାସ ବିଭାଗ ପ୍ରଫେସର ଥିବା ଡ. ଜଲାଲୀ ରଙ୍ଗବେରଙ୍ଗ ଆଫଗାନି ପାରମ୍ପରିକ ପୋଷାକ ପିନ୍ଧି ଫଟୋ ପୋଷ୍ଟ କରିଛନ୍ତି। ଫଟୋ କ୍ୟାପସନ୍‌ରେ ଏହା ଆଫଗାନର ଅସଲି ସଂସ୍କୃତି ବୋଲି ସେ ଟ୍ୱିଟ କରିଛନ୍ତି। ତହମୀନା ଅଜୀଜ ନାମ୍ନୀ ମହିଳା ଟ୍ୱିଟ କରିଛନ୍ତି ମୁଁ ଆଫଗାନ ପୋଷାକକୁ ନେଇ ଗର୍ବ କରୁଛି। ଏହା ଖୁବ୍‌ ସୁନ୍ଦର। ଆଫଗାନୀ ମହିଳାଙ୍କୁ ଅନୁପ୍ରାଣିତ କରିଥିବାରୁ ସେ ଡ. ଜଲାଲୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଲିବାନୀଙ୍କ ଚାହିଁବା ଅନୁସାରେ କପଡ଼ା ପିନ୍ଧିବା ଆମ ସଂସ୍କୃତି ନୁହେଁ। ଆଫଗାନି ଇତିହାସରେ କେହି ଏପରି କପଡ଼ା ପିନ୍ଧି ନାହାନ୍ତି ଯେପରି ତାଲିବାନୀ ଚାହୁଁଛନ୍ତି। ତାହା ଆଫଗାନି ସଂସ୍କୃତି ନୁହେଁ। ଡକ୍ଟର ବହାର ଜଲାଲୀଙ୍କ କ୍ୟାପସନ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବା ବେଳେ ଆହୁରି ବହୁ ମହିଳା ଏହାକୁ ସମର୍ଥନ ଜଣାଇ ନିଜ ଫଟୋ ପୋଷ୍ଟ କରିଛନ୍ତି।

ଏହାବ୍ୟତୀତ ଆଫଗାନୀ ମହିଳାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଆଫଗାନ ସଂସ୍କୃତି ଅଭିଯାନ କ୍ୟାମ୍ପେନ ସମ୍ପ୍ରତି ଆଫଗାନିସ୍ତାନ ଓ ବିଦେଶରେ ଅବସ୍ଥାନ କରୁଥିବା ବହୁସଂଖ୍ୟକ ମହିଳାଙ୍କୁ ଏକତ୍ର କରୁଛି। ନାରୀମାନଙ୍କ ମୁଖମଣ୍ଡଳ ଓ ସମ୍ପୂର୍ଣ୍ଣ ଶରୀରକୁ ଆବୃତ କରି ରଖୁଥିବା ବୁର୍ଖା ବିରୋଧରେ ପ୍ରତିବାଦ ଦର୍ଶାଇ ସେମାନେ ପାରମ୍ପରିକ ଆଫଗାନ୍ ବେଶପୋଷାକ ପିନ୍ଧିଥିବା ଫଟୋ ପୋଷ୍ଟ କରୁଛନ୍ତି। ‘ଆଫ୍‌ଗାନିସ୍ତାନ୍‌ କଲ୍‌ଚର୍‌’ ଟ୍ରେଣ୍ଡରେ ‘ଆଫଗାନ୍‌ ୱିମିନ୍‌’ ଏବଂ ‘ଡୁ ନଟ୍‌ ଟଚ୍‌ ମାଇଁ କ୍ଲୋଦ୍‌ସ୍‌’ କ୍ୟାମ୍ପେନ୍‌ ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button