କେସିଆରଙ୍କ ନିର୍ବାଚନୀ ପ୍ରତିଶ୍ରୁତି : ୪୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଓ ଗରିବଙ୍କୁ ଫ୍ଲାଟ୍

ହାଇଦ୍ରାବାଦ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭାରତ ରାଷ୍ଟ୍ର ସମିତି ବା ବିଆରଏସ ଆଜି ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ ଜନସାଧାରଣଙ୍କୁ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦିଆଯାଇଛି।

ଖବର ଅନୁଯାୟୀ ଦଳର ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ଜାରି କରିଥିବା ଇସ୍ତାହାରରେ ସମସ୍ତ ଯୋଗ୍ୟ ପରିବାରକୁ ୪୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ରାଇତୁ ବନ୍ଧୁ ଯୋଜନା ରାଶିକୁ ବାର୍ଷିକ ୧୦,୦୦୦ରୁ ୧୬,୦୦୦ ଟଙ୍କାକୁ ବୃଦ୍ଧି କରିବ। ଭିନ୍ନକ୍ଷମଙ୍କ ପାଇଁ ସାମାଜିକ ସୁରକ୍ଷା ଭତ୍ତା ୬,୦୦୦ ଟଙ୍କାକୁ ବୃଦ୍ଧି ଓ ତେଲେଙ୍ଗାନାରେ ୯୩ ଲକ୍ଷ ବିପିଏଲ ପରିବାରଙ୍କୁ କେସିଆର ବୀମା ଯୋଜନାରେ ୫ ଲକ୍ଷ ଟଙ୍କାର ବୀମା ମିଳିବ।

ସେହିପରି ପରିବାର ପିଛା ୧୦ ଲକ୍ଷ ଟଙ୍କା ଅନୁଦାନର ‘ଦଳିତ ବନ୍ଧୁ’ ଯୋଜନାକୁ ଦଳ ଜାରି ରଖିବ। କେସିଆର୍ ଆରୋଗ୍ୟ ରକ୍ଷା ଯୋଜନା ଓ ଆରୋଗ୍ୟଶ୍ରୀ ଭୀମ ଯୋଜନାର କଭରେଜ୍ ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବ। ହାଇଦ୍ରାବାଦରେ ୧ ଲକ୍ଷ ୨ବିଏଚକେ ଘର ନିର୍ମାଣ କରାଯିବ। ଯେଉଁମାନଙ୍କ ପାଖରେ ଜମି ନାହିଁ ସେମାନଙ୍କୁ ଚିହ୍ନଟ କରାଯାଇ ଗୃହ ଲକ୍ଷ୍ମୀ ଯୋଜନାଅଧୀନରେ ସୁବିଧା ପ୍ରଦାନ କରାଯିବ। ଏହାଛଡା ରାଜ୍ୟରେ ଆର୍ଥିକ ଦୃଷ୍ଟିରୁ ପଛୁଆ ଛାତ୍ରଛାତ୍ରୀଙ୍କ ପାଇଁ ୧୧୯ଟି ଆବାସିକ ବିଦ୍ୟାଳୟ ନିର୍ମାଣ କରିବାକୁ ଦଳ ପ୍ରତିଶ୍ରୁତି ଦେଇଛି।

Leave a Reply

Your email address will not be published. Required fields are marked *

Back to top button