ସାନକୁ ତଣ୍ଟିଚିପି ହତ୍ୟାକଲା ଭଉଣୀର ପ୍ରେମିକ

ପୀଲୀଭିତ୍‌ : ପ୍ରେମିକାର ନାବାଳିକା ସାନ ଭଉଣୀକୁ ତଣ୍ଟିଚିପି ହତ୍ୟାକଲା ପ୍ରେମିକ। ଘଟଣାଟି ଉତ୍ତର ପ୍ରଦେଶର ଲଖିମ୍‌ପୁର ଖେରି ଜିଲ୍ଲା ଅନ୍ତର୍ଗତ ନୀମଗାଓଁ ଥାନା ଅଞ୍ଚଳରେ ଘଟିଛି। ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ଆଦେଶରେ ରବିବାର ପୋଲିସ କବର ଖୋଳି ବାଳିକାର ଶବ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଖବର ଅନୁଯାୟୀ ପୋଲିସ କହିଛି ସେପ୍ଟେମ୍ବର ୨୫ ତାରିଖ ରାତିରେ ଅଭିଯୁକ୍ତ ଯୁବକ ପ୍ରେମିକା ଘରେ ପଶି ତା’ର ୧୧ ବର୍ଷୀୟ ଭଉଣୀର ତଣ୍ଟିଚିପି ହତ୍ୟା କରିଥିଲା। ପରେ ଖଟରେ ଶୁଆଇ ଦେଇଥିଲା। ସ୍ଥାନୀୟ ପରିମଳକର୍ମୀଙ୍କ ବଡ଼ଝିଅ ତଥା ଯୁବକର ପ୍ରେମିକା ଏସବୁ ଦେଖିଥି‌ଲେ ହେଁ ବାପା-ମା’ଙ୍କୁ କହିନଥିଲା। ପରଦିନ ସେମାନେ ସାନଝିଅ ମରିଯାଇଥିବାରୁ ଶବ ପୋତି ଦେଇଥିଲେ। ହେଲେ ବଡ଼ଝିଅର ଆଚରଣରୁ ପରିବାର ଲୋକଙ୍କ ସନ୍ଦେହ ହୋଇଥିଲା। ସେମାନେ ପଚାରିବାରୁ ସତ ସାମନାକୁ ଆସିଥିଲା। ଏ କଥା ପରିବାର କିମ୍ବା ପୋଲିସ ଆଗରେ ନ କହିବାକୁ ଅଭିଯୁକ୍ତ ଧମକ ଦେଇଥିବା ସେ କହିଥିଲା।

ସେପ୍ଟେମ୍ବର ୨୯ ତାରିଖ ଦିନ ମୃତା ବାଳିକାର ଭାଇ ଏଫ୍‌ଆଇଆର୍‌ ପଞ୍ଜିକରଣ କରାଇବା ପରେ ଅଭିଯୁକ୍ତଙ୍କୁ ହାଜତକୁ ନେଇ ଜେରା କରାଯାଉଛି। ପ୍ରୟୋଜନ ହେଲେ ବଡ଼ଭଉଣୀକୁ ସହ-ଅଭିଯୁକ୍ତ କରାଯାଇ ପାରେ ବୋଲି ଖେରି ଏସ୍‌ପି ଗଣେଶ ପ୍ରସାଦ ସାହା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button