୫ଟି ସଚିବଙ୍କୁ କାଳିମାଡ଼ : ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା

ଭୁବନେଶ୍ଵର : ପୁରୀ ଜିଲ୍ଲା ସତ୍ୟବାଦୀ ୟୁଜିଏସ୍ କଲେଜ ସଭାରେ ଯୋଗ ଦେବାକୁ ଯିବା ବେଳେ ୫ଟି ସଚିବ ଭି କେ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼ ହୋଇଛି। କାଳିମାଡ଼ କରିଥିବା ବ୍ୟକ୍ତି ଜଣକ କଣାସ ଅଞ୍ଚଳର ଭାସ୍କର ସାହୁ। ତାଙ୍କୁ ପୋଲିସ ଗିରଫ କରିଛି। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦାବି ହୋଇଛି କାର୍ଯ୍ୟାନୁଷ୍ଠାନ।

ଖବର ଅନୁଯାୟୀ ଆଜି ୫ଟି ସଚିବ ଭି.କେ ପାଣ୍ଡିଆନଙ୍କର କାକଟପୁର, ନିମାପଡ଼ା, ପୁରୀ ଓ ସତ୍ୟବାଦୀରେ କାର୍ଯ୍ୟକ୍ରମ ଥିଲା। ଶେଷରେ ସେ ସତ୍ୟବାଦୀରେ ପହଞ୍ଚିଥିଲେ। ସେଠାରେ ୟୁଜିଏସ୍ କଲେଜରେ ଆୟୋଜିତ ସଭାରେ ଯୋଗଦେବା ପୂର୍ବରୁ ସେ ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସହ ହାତ ମିଳାଇଥିଲେ। ଏହି ସମୟରେ ଭାସ୍କର ସାହୁ ହଠାତ୍ ପଶି ଆସି ବୋତଲରେ ଆଣିଥିବା କାଳିକୁ ପାଣ୍ଡିଆନଙ୍କ ଉପରକୁ ଫିଙ୍ଗିଥିଲେ। କାଳି ପାଣ୍ଡିଆନଙ୍କ ମୁହଁରେ ପଡ଼ିବା ସହିତ ସାଙ୍ଗରେ ଥିବା ପୁରୀ ଜିଲ୍ଲାପାଳଙ୍କ ମୁହଁରେ ମଧ୍ୟ ପଡ଼ିଥିଲା। ପରେ ଭାସ୍କରଙ୍କୁ ପୋଲିସ କାବୁ କରିଥିଲା। ତେବେ ଭାସ୍କର କାହିଁକି କାଳିମାଡ଼ କଲେ ତାହା ଜଣାପଡ଼ି ନାହିଁ।

ଏହି ଘଟଣା ପାଇଁ ବିଜେପିକୁ ଦାୟୀ କରିଛନ୍ତି ବିଜେଡି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ। ସେ କହିଛନ୍ତି ଏହା ସତ୍ୟବାଦୀ ବିଜେଡିରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱର ପରିଣାମ ବୋଲି ଯାହା କୁହାଯାଉଛି ତାହା ଠିକ୍ ନୁହେଁ। ବିଜେପି ନେତା ଓମ୍ ପ୍ରକାଶ ମିଶ୍ର ଏହାକୁ ଖଣ୍ଡନ କରିବା ସହିତ ଘଟଣାକୁ ନିନ୍ଦା କରିଛନ୍ତି। ସେହିପରି ବରିଷ୍ଠ ବିଜେଡି ନେତା ଲେନିନ୍‌ ମହାନ୍ତି କହିଛନ୍ତି ପଞ୍ଚସଖାର ମାଟି ତଥା ସାହିତ୍ୟର ମାଟି ସତ୍ୟବାଦୀରେ ୫ଟି ସଚିବଙ୍କ ଉପରକୁ କାଳିମାଡ଼ କରାଯିବା ଘଟଣା ନେଇ ମୁଁ ମର୍ମାହତ। ସୁସ୍ଥ ମସ୍ତିସ୍କ ଥିବା ଲୋକ ଏଭଳି ଘୃଣ୍ୟ କାମ କରିପାରିବ ନାହିଁ। ସାଧାରଣ ଲୋକଟିଏ ଯାହା ଚାହୁଁଛି ଭିକେ ପାଣ୍ଡିଆନ୍‌ ତାହା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରୀ ଶ୍ରୀମନ୍ଦିରରେ ଯେଉଁ ବିକାଶ କାମ ହୋଇଛି ସେ ତାହାର ନେତୃତ୍ଵ ନେଇଥିବା ବେଳେ ଓଡ଼ିଶାର ଉନ୍ନତି ପାଇଁ କାମ କରୁଛନ୍ତି। ଓଡ଼ିଶାର ପ୍ରଗତିକୁ ଯେଉଁମାନେ ସହି ପାରୁ ନାହାନ୍ତି, ସେହି ଲୋକମାନେ ଏଭଳି କାମ କରୁଛନ୍ତି।

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ନବ ଦାସଙ୍କ ମୃତ୍ୟୁ ପରେ ପଣ୍ଡିଆନଙ୍କ ସୁରକ୍ଷାକୁ କଡ଼ା କରାଯାଇଛି। ତାଙ୍କ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହାକୁ ନେଇ ଶାସକ ଦଳ ନେତା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଲେଖା ପଣ୍ଡିଆନକୁ ଅଡ଼ୁଆରେ ପକାଉଛି। ତେଣୁ ଏପରି ଖେଳ ବିଜେଡି ଖେଳିଛି। ସେ କହିଛନ୍ତି ଯେତେବେଳେ ତାଙ୍କ ପ୍ରତିକ୍ରିୟା ସାଧାରଣ ଥିଲା। ସେ ହସୁଥିଲେ, ଯାହାକି ଅସ୍ଵାଭାବିକ ଥିଲା। ସଙ୍ଗେ ସଙ୍ଗେ କିଛି ମହିଳା ତାଙ୍କ ପଣତରେ କାଳି ପୋଛି ଦେଉଥିଲେ। ତେବେ ଏହା କଣ ପ୍ରାୟୋଜିତ ନୁହେଁ ? ଏହାଛଡା କାଳି ମାରିଥିବା ଯୁବକ ପୂର୍ବରୁ ବିଜେଡିରେ ସାମିଲ ଥିଲା। ତେଣୁ ଏହା ସମ୍ପୂର୍ଣ୍ଣ ଏକ ପ୍ରାୟୋଜିତ ଘଟଣା।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ମୁଁ ଏହାକୁ ନାପସନ୍ଦ କରୁଛି। ଯେତେବେଳେ ଗଣତନ୍ତ୍ର ପ୍ରତି ବିପଦ ଦେଖାଯାଏ ଅଗଣତାନ୍ତ୍ରିକ ଉପାୟରେ ଶାସନ ଚାଲେ ସେତେବେଳେ ଲୋକେ ପ୍ରତିବାଦ କରନ୍ତି। ପ୍ରତିବାଦ ସ୍ୱାଗତଯୋଗ୍ୟ। କିନ୍ତୁ ଅହିଂସା ଉପାୟରେ କରିବା ଉଚିତ। ଅନୁସନ୍ଧାନ କଲେ ଏହା ପ୍ରାୟୋଜିତ କି ନୁହେଁ ତାହା ଜଣାପଡିବ।

ଓଡ଼ିଶା ସଚିବାଳୟ ସେବାସଂଘ କାଳିମାଡ଼କୁ ନିନ୍ଦା କରିଛି। ଭିକେ ପାଣ୍ଡିଆନ ଜଣେ ଦକ୍ଷ ପ୍ରଶାସକ। ସଚିବ ସରକାରୀ କାର୍ଯ୍ୟ ତୁଲାଉଥିବା ବେଳେ ଏଭଳି କାଣ୍ଡ ନିନ୍ଦନୀୟ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଭିକେ ପାଣ୍ଡିଆନ ଗସ୍ତ କରୁଛନ୍ତି। ତେଣୁ ସତ୍ୟବାଦୀରେ ଯେଉଁ ଅଘଟଣ ଘଟିଲା। ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର।

Leave a Reply

Your email address will not be published. Required fields are marked *

Back to top button