ୱାହିଦା ରେହମାନ ଦାଦା ସାହେବ ଫାଲକେ ପୁରସ୍କାର ପାଇବେ

ନୂଆଦିଲ୍ଲୀ : ଚଳିତ ବର୍ଷର ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପାଇବେ ବର୍ଷୀୟାନ ଅଭିନେତ୍ରୀ ୱାହିଦା ରେହମାନ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇ କହିଛନ୍ତି ମୁଁ ଏହା ଘୋଷଣା କରିବା ସହିତ ଖୁବ୍‌ ଖୁସି ଅନୁଭବ କରୁଛି।

ଖବର ଅନୁଯାୟୀ ‘ପ୍ୟାସା’, ‘କାଗଜ କେ ଫୁଲ’, ‘ଚୌଦଭି କା ଚାନ୍ଦ’, ‘ସାହେବ ବିବି ଔର ଗୁଲାମ’ ,’ଗାଇଡ’, ‘ଖାମୋସି’ ପରି ଫିଲ୍ମରେ ନିଖୁଣ ଅଭିନୟ କରି ୱାହିଦା ରେହମାନ ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ନିଜର ୫ ଦଶନ୍ଧି କ୍ୟାରିଅର ମଧ୍ୟରେ ୮୫ ବର୍ଷିୟା ୱାହିଦା ବହୁ ସୁପରହିଟ୍‌ ଫିଲ୍ମ ଦେଇ ଲୋକପ୍ରିୟ ଅଭିନେତ୍ରୀ ହୋଇ ପାରିଥିଲେ। ଅଭିନୟ ପାଇଁ ସେ ନ୍ୟାସନାଲ ଫିଲ୍ମ ଆୱାର୍ଡ, ପଦ୍ମଶ୍ରୀ, ପଦ୍ମ ବିଭୂଷଣ ଆୱାର୍ଡରେ ସମ୍ମାନିତ ହୋଇ ସାରିଛନ୍ତି।

ଅନୁରାଗ ଠାକୁର ଟ୍ୱିଟ କରିଛନ୍ତି ନାରୀ ଶକ୍ତି ବନ୍ଦନା ଅଧିନିୟମ ପରି ଐତିହାସିକ ବିଲ୍‌ ସାଂସଦରେ ପାସ୍‌ ହେବା ଯୋଗୁ ସମଗ୍ର ଦେଶରେ ଏବେ ଉତ୍ସବ ପାଳିତ ହେଉଛି। ଏପରି ସମୟରେ ଜଣେ ବର୍ଷୀୟାନ ଅଭିନେତ୍ରୀଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବା ବେଶ୍‌ ଗୌରବର ବିଷୟ। ଏଥିନିମନ୍ତେ ମୁଁ ହୃଦୟରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀ ପ୍ରତି ତାଙ୍କ ଅବଦାନ ଚିରଦିନ ସ୍ମରଣୀୟ ହୋଇ ରହିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button