ଝାରସୁଗୁଡା ପ୍ରଚାର ମୈଦାନରେ ସୁଶାନ୍ତଙ୍କ ଦର୍ଶନ ମିଳୁନି

ଆସନ୍ତା ୧୦ ତାରିଖରେ ଝାରସୁଗୁଡା ଉପ-ନିର୍ବାଚନ। ପ୍ରଚାର ସରଗରମ ହେଉଛି। ନିର୍ବାଚନରେ ଭାଗନେଇଥିବା ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଜୋରଦାର ହୋଇଥିବା ବେଳେ କଂଗ୍ରେସ ସ୍ଥିତି ଜାହିର କରିବାକୁ ଚଳାଇଛି ପ୍ରୟାସ। କିନ୍ତୁ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଦେଖା ମିଳୁନଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସାଧାରଣରେ ଆଲୋଚନା ହେଉଛି ପଶ୍ଚିମ ଓଡ଼ିଶାରେ ଯେତୋଟି ଉପନିର୍ବାଚନ ହୋଇଛି ସେଥିରେ ସୁଶାନ୍ତଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହୁଥିଲା। ସଙ୍ଗଠନ ଦାୟିତ୍ଵ ଠାରୁ ପ୍ରଚାର ସବୁଠି ଆଗରେ ରହୁଥିଲେ ସୁଶାନ୍ତ। କିନ୍ତୁ ଏବେ ସଂପୂର୍ଣ୍ଣ ଭିନ୍ନ ପରିଲକ୍ଷିତ ହେଉଛି। ଭୋଟ ଗ୍ରହଣ ଆଉ ଦିନ କେତେଟା ବାକି ଅଛି। ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ନାଁ ଥିଲେ ମଧ୍ୟ ସୁଶାନ୍ତଙ୍କ ଦେଖାଦର୍ଶନ ମିଳୁନି।
ସୁଶାନ୍ତ ଉପ-ନିର୍ବାଚନ ପ୍ରଚାରଠାରୁ କାହିଁକି ଦୂରେଇ ରହିଛନ୍ତି ତା’ର କାରଣ ତାଙ୍କୁ ଜଣା। କିନ୍ତୁ କୁହାଯାଉଛି ନବ ଦାସଙ୍କ ହତ୍ୟାକାଣ୍ଡରେ ସୁଶାନ୍ତଙ୍କ ସମ୍ପୃକ୍ତି ଥିବା ବିରୋଧୀ ଅଭିଯୋଗ ଆଣିଥିଲେ। ତେଣୁ ସେ ପ୍ରଚାର ମଇଦାନକୁ ଓହ୍ଳାଇଲେ କିଛି ସମସ୍ୟା ହୋଇପାରେ। ଏହି ଉପନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ କଡା ଟକ୍କର ସମ୍ଭାବନା ଥିବାରୁ ସୁଶାନ୍ତଙ୍କୁ ନେଇ ଦଳ ରିସ୍କ ନେବାକୁ ଚାହୁଁନି। ବୋଧହୁଏ ଏହି ବିଚାରରେ ବିଜେଡି ମୁଖିଆ ସୁଶାନ୍ତଙ୍କୁ ଉପ ନିର୍ବାଚନଠୁ ଦୂରେଇ ରହିବା ପାଇଁ କହିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି।