ବଢ଼ୁଛି ବେରୋଜଗାରୀ ମହାମାରୀ

।। ଗୋପାଳ ମହାପାତ୍ର ।। ସରକାର ରୋଜଗାର ସୁବିଧା ସୃଷ୍ଟି କରିବା ପାଇଁ ନିୟମ ପ୍ରଣୟନ କରିବା କଥା । କିନ୍ତୁ ବିକାଶ ଦର ହାସଲ ପାଇଁ ସବୁମନ୍ତେ ଉଦ୍ୟମ କରୁଛନ୍ତି । ନୀତି ନିର୍ଦ୍ଧାରଣ କରୁଥିବା ଲୋକଙ୍କ ମତ ହେଉଛି ବିକାଶ ଦର ବଢିଲେ ରୋଜଗାର ବା ନିଯୁକ୍ତି ସୁଯୋଗ ଅଧିକ ଭାବେ ସୃଷ୍ଟି ହେବ । ଅର୍ଥନୀତିର ଏହି ପଦ୍ଧତି କିନ୍ତୁ ବହୁ ପୂର୍ବରୁ ବିଫଳ ହୋଇଛି ।

ଆମେ ଏବେ ରୋଜଗାର ବିହୀନ ବିକାଶ ଦରର ସମୟରେ ଗତି କରୁଛେ । କରୋନା ମହାମାରୀ ସହ ବଞ୍ଚିବାର ଅଭ୍ୟାସ କରିନେବା ପରେ ଲାଗୁଛି ଯେମିତି ଆମକୁ ବେରୋଜଗାରୀ ସହ ମଧ୍ୟ ବଞ୍ଚିବା ଅଭ୍ୟାସ କରିବାକୁ ପଡ଼ିବ । ଯେମିତି ଔଷଧ, ଅକ୍ସିଜେନ୍ ଓ ଟିକା ବିନା ମହାମାରୀରୁ ବଞ୍ଚିବା କଷ୍ଟକର, ଠିକ୍ ସେମିତି ବେରୋଗାରୀକୁ ଆପଣେଇ ବଞ୍ଚିବା ମଧ୍ୟ କଷ୍ଟକର । ମହାମାରୀ ପାଇଁ ଟିକା ଆବିଷ୍କାର ହୋଇଗଲା କିନ୍ତୁ ବେରୋଜଗାରୀର ବିଲୋପ ପାଇଁ କୌଣସି ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇପାରିନାହିଁ । ଏ ଦିଗରେ କୌଣସିି ଠୋସ୍ ପଦକ୍ଷେପ ମଧ୍ୟ ଦେଖାଯିବ ନାହିଁ । ମହାମାରୀ ଠାରୁ ଆହୁରି ପାଦେ ଆଗେଇଲାଣି ବେରୋଜଗାରୀ । ମହାମାରୀର ପ୍ରଭାବ କମିଛି ହେଲେ ବେରୋଜଗାରୀ ବଢିଛି । କରୋନା ମହାମାରୀ କାରଣରୁ କୋଟି କୋଟି ଲୋକ ରୋଜଗାର ହରାଇଥିଲେ । ଏବେ ବି ସେମାନଙ୍କୁ ରୋଜଗାର ସୁବିଧା ମିଳିପାରିନାହିଁ । ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମଆଇଇ)ର ତଥ୍ୟ ଅନୁସାରେ ଗତ ଜୁଲାଇ ମାସରେ ୩୨ଲକ୍ଷ ବେତନଭୋଗୀ କର୍ମଚାରୀଙ୍କ ଚାକିରି ଚାଲିଯାଇଛି । ଅଗଷ୍ଟ ମାସରେ ମଧ୍ୟ ବେରୋଜଗାରୀ ହାର କ୍ରମାଗତ ଭାବେ ୭ପ୍ରତିଶତରୁ ଅଧିକ ରହିଛି ।

ନୀତିଗତ ତ୍ରୁଟିବିଚ୍ୟୁତି କାରଣରୁ ପୂର୍ବରୁ ମଧ୍ୟ ବେରୋଜଗାରୀ ଏକ ସମସ୍ୟା ଭାବେ ଉଭା ହୋଇଥିଲା । ମହାମାରୀ ଏହି ସ୍ଥିତିକୁ ଅଧିକ ଖରାପ କରି ଦେଇଛି । ବିକାଶ ଦରବୃଦ୍ଧିର ହିସାବକୁ ଦେଖିଲେ ସ୍ପଷ୍ଟ ଯେ ମହାମାରୀ ବେଳେ ୩ପ୍ରତିଶତ ଲୋକଙ୍କର ଆୟ ବଢିଛି ବାକି ଲୋକ ମହାମାରୀ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ଦେଶରେ ବେରୋଜଗାରୀ ବଢିଛି ଓ ଦରିଦ୍ର ଲୋକଙ୍କ ସଂଖ୍ୟା ମଧ୍ୟ ବଢିଛି । ଦେଶରେ ବିକାଶ ହାର ବୃଦ୍ଧି ଦିଗରେ ସରକାରେ ୨୦୧୬ ନଭେମ୍ବର ୮ତାରିଖରେ ବିମୁଦ୍ରୀକରଣ, ୨୦୧୭ ଜୁଲାଇ ୧ତାରିଖରେ ଜିଏସଟି ବ୍ୟବସ୍ଥା କରିଥିଲେ । ଆର୍ଥିକ ଅବସ୍ଥାକୁ ସୁଧାରିବା ପାଇଁ ସରକାର ନେଇଥିବା ଏଦୁଇଟି ବଡ଼ ପଦକ୍ଷେପ ମଧ୍ୟ ତାର ଉଦ୍ଦେଶ୍ୟ ହାସଲ କରିପାରିନାହିଁ । ଏ ଦୁଇ ବ୍ୟବସ୍ଥା ପରେ ଜୁଲାଇ ୨୦୧୭ରୁ ଜୁନ୍ ୨୦୧୮ ମଧ୍ୟରେ ବେରୋଜଗାରୀ ହାର ୪୫ ବର୍ଷ ତଳର ଅବସ୍ଥାକୁ ଖସିଆସିଥିଲା ଅର୍ଥାତ୍ ୬.୧ ପ୍ରତିଶତରେ ପହଞ୍ଚିଥିଲା । ରାଷ୍ଟ୍ରୀୟ ନମୁନା ସର୍ବେକ୍ଷଣ ବିଭାଗ (ଏନଏସଏସଓ) ତାର ରିପୋର୍ଟରେ ୬.୧ପ୍ରତିଶତ ପରିବର୍ତ୍ତେ ୮.୯ପ୍ରତିଶତ ବେରୋଜଗାରୀ ହାର ବୋଲି ଉଲ୍ଲେଖ କରିଥିଲା । ଏହାପରେ ଜୁଲାଇ ୨୦୧୮ରୁ ଜୁନ୍ ୨୦୧୯ ମଧ୍ୟରେ ବେରୋଜଗାରୀ ହାର ସାମାନ୍ୟ ସୁଧୁରିଥିଲା ଏବଂ ଏହା ୫.୮ପ୍ରତିଶତକୁ ଚାଲିଆସିଥିଲା । କିନ୍ତୁ ଗତବର୍ଷ ମହାମାରୀ କରୋନା ଅବସ୍ଥାକୁ ଅଧିକ ଖରାପ କରିଦେଇଥିଲା । ଭାରତର ବେରୋଜଗାରୀ ସ୍ଥିତି ପଡ଼ୋଶୀ ଦେଶ ମାନଙ୍କ ଠାରୁ ମଧ୍ୟ ଖରାପ ସ୍ତରକୁ ଆସିଯାଇଥିଲା । ଆନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ)ର ତଥ୍ୟ କହୁଛି ଯେ, ୨୦୨୦ ମସିହା ବେଳେ ଭାରତର ବେରୋଜଗାରୀ ହାର ୭.୧୧ପ୍ରତିଶତ ଥିବାବେଳେ ଚୀନରେ ଏହି ହାର ୫ପ୍ରତିଶତ, ବଙ୍ଗଳାଦେଶରେ ୫.୩୦ପ୍ରତିଶତ, ପାକିସ୍ତାନରେ ୪.୬୫ପ୍ରତିଶତ, ଶ୍ରୀଲଙ୍କାରେ ୪.୪୮ପ୍ରତିଶତ, ନେପାଳରେ ୪.୪୪ପ୍ରତିଶତ ଏବଂ ଭୁଟାନରେ ଏହି ହାର ୩.୭୪ପ୍ରତିଶତ ଥିଲା । ବିଶ୍ୱ ସ୍ତରର କଥା କହିଲେ ୨୦୨୦ରେ ବୈଶ୍ୱିକ ହାର ୭ପ୍ରତିଶତରୁ ଅଧିକ ରହିବ ବୋଲି ଏବେଠାରୁ ବିଶେଷଜ୍ଞମାନେ ଅନୁମାନ ଲଗାଇଲେଣି ।

ଆମ ଦେଶ ଭାରତରେ ବେରୋଜଗାରୀ ହହାର ବଢିବା ପଛରେ ଏକ ବଡ଼ କାରଣ ହେଉଛି ସାର୍ବଜନିକ କ୍ଷେତ୍ରର ଉପକ୍ରମ ଗୁଡିକର ସଂଖ୍ୟା କମିବାରେ ଲାଗିଛି । ଯେଉଁ ଦେଶର ସାର୍ବଜନିକ କ୍ଷେତ୍ରର ଉପକ୍ରମ ଗୁଡିକ ଯେତେ ମଜଭୁତ ସେ ଦେଶର ବେରୋଜଗାରୀ ହାର ସେହି ଅନୁସାରେ କମ୍ । ସାର୍ବଜନିକ କ୍ଷେତ୍ର ପ୍ରସଙ୍ଗରେ ଭାରତର ସ୍ଥିତି ଅନ୍ୟ ଦେଶମାନଙ୍କ ତୁଳନାରେ ଅତ୍ୟନ୍ତ ଖରାପ । ଆନ୍ତର୍ଜାତିକ ଶ୍ରମ ସଂଗଠନର ତଥ୍ୟ ଅନୁସାରେ ଭାରତର ସମୁଦାୟ ଶ୍ରମ ଶକ୍ତିର ମାତ୍ର ୩.୮ପ୍ରତିଶତ ସାର୍ବଜନିକ କ୍ଷେତ୍ରରେ କାର୍ଯ୍ୟରତ । ପଡ଼ୋଶୀ ଦେଶ ପାକିସ୍ତାନରେ ଏହି ହାର ସାଢେ ସାତ ପ୍ରତିଶତ ଥିବାବେଳେ ବଙ୍ଗଳାଦେଶରେ ଏହି ହାର ପାଖାପାଖି ୮ପ୍ରତିଶତ । ରୋଜଗାର ପ୍ରସଙ୍ଗରେ ସାର୍ବଜନିକ କ୍ଷେତକୁ ଉତ୍ତମ ବୋଲି ଏଇଥିପାଇଁ କୁହାଯାଏ ଯେ, ଘରୋଇ ଉଦ୍ୟୋଗ ବା ସଂସ୍ଥା ଅପେକ୍ଷା ସାର୍ବଜନୀକ କ୍ଷେତ୍ରର ଉପକ୍ରମରେ ନିଯୁକ୍ତି (ଚାକିରି) ଅଧିକ ସୁରକ୍ଷିତ । ସଙ୍କଟ ସମୟରେ ଏହି ସାର୍ବଜନିକ କ୍ଷେତ୍ର ମଧ୍ୟ ସହାୟତା ଯୋଗାଇ ଦେଇଥାଏ । କରୋନା ମହାମାରୀ ସମୟରେ ଏକଥା ମଧ୍ୟ ସ୍ପଷ୍ଟ ହୋଇଯାଇଛି । କିନ୍ତୁ ଦୁଃଖଦ ଘଟଣା ହେଉଛି ଏବେ ଆମ ନୀତି ନିୟନ୍ତାମାନେ ଘରୋଇ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଯାହାର ଉଦ୍ଦେଶ୍ୟ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ନୁହେଁ ବରଂ ଅଧିକ ଲାଭ ଉଠାଇବା । ସାର୍ବଜନୀକ କ୍ଷେତ୍ରର ସଂଖ୍ୟା କମିବାରେ ଲାଗିଛି ଓ ଯେଉଁ କେତେକ ସଂସ୍ଥା ରହିଛି ସେ ସବୁରେ ନିଯୁକ୍ତି ସୁଯୋଗ ମଧ୍ୟ କମ୍ ରହିଛି । ଏକ ଅଧ୍ୟୟନ ଅନୁସାରେ ଦେଶଷର ଏବେ ୬୦ଲକ୍ଷ ପଦବୀ ପୂରଣ ନହୋଇ ପଡିରହିଛି । କେବଳ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଗୁଡିକରେ ୮ଲକ୍ଷ ୭୨ହଜାରରୁ ଅଧିକ ପଦବୀ ରହିଛି ଯେଉଁ ପଦବୀରେ କାହାରିକୁ ନିଯୁକ୍ତି ଦିଆଯାଉନାହିଁ । ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ଏବଂ ରାଜ୍ୟ ସରକା ରମାନଙ୍କର ନିଯୁକ୍ତି ହାର ୩ବର୍ଷ ତଳର ସ୍ତରରେ ପହଞ୍ଚିଛି । ରାଷ୍ଟ୍ରୀୟ ପେନସନ୍ ପ୍ରଣାଳୀ (ଏନପିଏସ୍‌)ର ତଥ୍ୟ ଅନୁସାରେ କେନ୍ଦ୍ର ସରକାରୀ ସଂସ୍ଥା ମାନଙ୍କରେ ନିଯୁକ୍ତି ୨୭ପ୍ରତିଶତ ହ୍ରାସ ପାଇଥିବାବେଳେ ରାଜ୍ୟ ମାନଙ୍କରେ ଏହି ହାର ୨୧ପ୍ରତିଶତ କମ୍ ରହିଛି ।

ଦେଶର ପାଖାପାଖି ୧୯ପ୍ରତିଶତ ଶ୍ରମ ଶକ୍ତି ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ । ଏଥିମଧ୍ୟରୁ ୪ପ୍ରତିଶତ ସାର୍ବଜନିକ ଉପକ୍ରମରେ କାର୍ଯ୍ୟରତ ଥିବାବେଳେ ୧୫ପ୍ରତିଶତ ଘରୋଇ ସଂସ୍ଥା ମାନଙ୍କରେ କାର୍ଯ୍ୟରତ ଅଛନ୍ତି । ବାକି ୮୧ପ୍ରତିଶତ ଶ୍ରମ ଶକ୍ତି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ଶ୍ରମ ଶକ୍ତି ଏହି ୮୧ପ୍ରତିଶତଙ୍କ ପାଖରେ କେବେ କାମ ଅଛିତ ଆଉ କେବେ କାମ ନାହିଁ । ଏମାନେ କେମିତି ଅଛନ୍ତି ଓ ଏମାନଙ୍କ ସ୍ଥିତି କ’ଣ ସେ ପ୍ରସଙ୍ଗରେ ସରକାରଙ୍କ ନିକଟରେ କୌଣସି ତଥ୍ୟ ନାହିଁ । ଅର୍ଥାତ୍ ଏମାନେ ନିଯୁକ୍ତି କ୍ଷେତ୍ରରେ ସୁରକ୍ଷିତ ନୁହଁନ୍ତି । ଅସଂଗଠିତ କ୍ଷେତ୍ରର ଏହି ଶ୍ରମଶକ୍ତିର ଅର୍ଦ୍ଧାଧିକ କୃଷି କ୍ଷେତ୍ରରେ କାର୍ଯ୍ୟରତ । କୃଷି କ୍ଷେତ୍ରରେ ବର୍ଷସାରା କାମ ମିଳିବା ମଧ୍ୟ ଅସମ୍ଭବ । ନିକଟରେ ପିଏଲଏଫଏସ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୧୯ ଜୁଲାଇ ଠାରୁ ୨୦୨୦ ଜୁନ ମଧ୍ୟରେ କୃଷି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସଂଖ୍ୟା ବଢିଛି ଏହା ୪୫.୬ ପ୍ରତିଶତରେ ପହଞ୍ôଚଛି । ୨୦୧୮-୧୯ରେ ଏହା ୪୨.୫ପ୍ରତିଶତ ଥିଲା । କଞ୍ଜୁମରସ୍ ପିରମିଡ୍‌ସ ହାଉସ ହୋଲ୍ଡ ସର୍ଭେ (ସିପିଏଚଏସ୍‌)ର ରିପୋର୍ଟରେ କୃଷି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମ ଶକ୍ତି ୨୦୧୮-୧୯ରେ ୩୧.୬ପ୍ରତିଶତ ଥିବା ଉଲ୍ଲେଖ କରାଯାଇଛି । କୃଷି କ୍ଷେତ୍ରରେ କାର୍ଯ୍ୟରତଙ୍କ ମଧ୍ୟରୁ ଅଧିକ ସଂଖ୍ୟକ ହେଉଛନ୍ତି ମହିଳା । ଦେଶର ସମସ୍ତ ମହିଳା ଶ୍ରମ ଶକ୍ତିର ୬୦ପ୍ରତିଶତ କୃଷି କ୍ଷେତ୍ରରେ କାର୍ଯ୍ୟରତ ।

କେରାନା ମହାମାରୀ କାରଣରୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସଂଖ୍ୟା ହ୍ରାସ ପାଇଥିବା କୁହାଯାଉଛି । ଆଶା କରାଯାଉଥିଲା କରୋନାର ପ୍ରଭାବ କମିବା ପରେ ସବୁ କିଛି ଠିକ୍ ଠାକ୍ ହୋଇଯିବ କିନ୍ତୁ କରୋନାର ଦ୍ୱିତୀୟ ଲହର ସବୁ ଆଶାକୁ ଧୂଳିସାତ କରିଦେଇଛି । ସିଏମଆଇଇର ତଥ୍ୟ ଅନୁସାରେ ୨୦୨୦ ଜୁଲାଇ ଠାରୁ ୨୧୨୧ ଜୁନ୍ ମଧ୍ୟରେ ଅନ୍ୟ କ୍ଷେତ୍ରମାନଙ୍କରେ କାର୍ଯ୍ୟରତ ଶ୍ରମିକମାନେ କୃଷି କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛନ୍ତି । କୃଷି କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସଂଖ୍ୟା ୩୮ପ୍ରତିଶତରୁ ୩୯.୪ପ୍ରତିଶତକୁ ବଢିଛି । ବିନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସଂଖ୍ୟା ୯.୪ପ୍ରତିଶତରୁ ୭.୩ପ୍ରତିଶତକୁ ହ୍ରାସ ପାଇଛି । କରୋନା ପରେ ଆର୍ଥିକ ଗତିିବିଧି ବଢିବା ପରେ ଅସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇପାରେ କିନ୍ତୁ ଶ୍ରମିକଙ୍କ ବେତନ ପୂର୍ବ ଠାରୁ କମ୍ ମିଳିବ । ଏସବୁ ପରେ ମଧ୍ୟ ସରକାର କର୍ପୋରେଟ୍ କ୍ଷେତ୍ରଗୁଡିକୁ ମଜଭୁତ କରିବା ଦିଗରେ ଅଧିକ ଧ୍ୟାନ ଦେଉଛନ୍ତି । ଏହା ବିକାଶ ଦର ହାସଲ କରିବାରେ ସହାୟକ ହୋଇପାରେ କିନ୍ତୁ ରୋଜଗାର ସୁବିଧା ସୃଷ୍ଟି କରିପାରିବ ନାହିଁ । ଏଣୁ ଦେଶରେ ବେରୋଜଗାରୀର ମହାମାରୀ ରହିବ ହିଁ ରହିବ ।

ରାମଚନ୍ଦ୍ରପୁର, ରଣପୁର
୯୪୩୪୪୮୫୦୯୪

Leave a Reply

Your email address will not be published.

Back to top button