ବାଂଲାଦେଶରେ ୨୦ ହିନ୍ଦୁ ଘର ପୋଡ଼ିଦେଲେ

ନୂଆଦିଲ୍ଲୀ : ବାଂଲାଦେଶର ରଙ୍ଗପୁର ସହରରେ ରବିବାର ରାତିରେ ଉତ୍ତ୍ୟକ୍ତ ଜନତା ୨୦ରୁ ଅଧିକ ହିନ୍ଦୁମାନଙ୍କ ଘର ପୋଡ଼ି ଦେଇଛନ୍ତି। ‘ଫେସ୍‌ବୁକ୍‌’ରେ ଜଣେ ହିନ୍ଦୁ ଯୁବକ ମୁସଲମାନଙ୍କ ଧାର୍ମିକ ଭାବାବେଗକୁ ବାଧିବା ପରି ‘ଷ୍ଟାଟସ୍‌ ପୋଷ୍ଟ୍‍’ କରିଛନ୍ତି ବୋଲି ଗୁଜବ ଉଠିବା ପରେ ଏପରି ଘଟଣା ଘଟିଥିଲା।

କମରୁଜମାନ୍‌ର ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବିପ୍ଳବ କୁମାର ସର୍କାର ଗଣମାଧ୍ୟମକୁ କହିଛନ୍ତି ‘ଫେସ୍‌ବୁକ୍‌’ରେ ଜଣେ ହିନ୍ଦୁ ଯୁବକ ଆପତ୍ତିଜନକ ଷ୍ଟାଟସ୍‌ ପୋଷ୍ଟ୍‍ କରିଥିବା କଥା ଅଭିଯୋଗ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା। ‘ପୋଷ୍ଟ୍‍’ଟି ଭାଇରାଲ୍‌ ହେବା ପରେ ପୋଲିସ ସେ ଯୁବକଙ୍କ ଘରକୁ ସୁରକ୍ଷା ଦେଇଥିଲେ। କିନ୍ତୁ ଆକ୍ରମଣକାରୀମାନେ ତାଙ୍କ ପଡ଼ୋଶୀମାନଙ୍କ ଉପରେ ରାଗ ଶୁଝାଇବାକୁ ୨୦ଟି ପୋଡ଼ି ଦେଇଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ କେହି ଆହତ ହୋଇ ନାହାନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ ଆଣିବା ପାଇଁ ପୋଲିସ ରବର ଗୁଳି ଚଳାଇଥିଲା। ବାଂଲାଦେଶର ପୀରଗଞ୍ଜ ଉପଜିଲ୍ଲାର କରିମଗଞ୍ଜରେ ଘଟିଥିବା ଏହି ଘଟଣା ରାତି ପ୍ରାୟ ୧ଟା ବେଳେ ନିୟନ୍ତ୍ରଣକୁ ଆସିଥିଲା। ପୋଲିସ ୨୦ଜଣଙ୍କୁ ଗିରଫ କରିଛି। ପୀଡ଼ିତ ପରିବାରବର୍ଗଙ୍କ ପାଇଁ ଥଇଥାନ ବ୍ୟବସ୍ଥା ସହ ଅନ୍ୟାନ୍ୟ ଉପକ୍ରମ କରାଯାଇଥିବା ରଙ୍ଗପୁର ଡେପୁଟି କମିସନର୍‌ ଆସିବ ଅହସାନ୍‌ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button