ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କ ପରଲୋକ

କଟକ : ବିଶିଷ୍ଟ ସାହିତ୍ୟିକା ମନୋରମା ମହାପାତ୍ରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଶନିବାର ସନ୍ଧ୍ୟାରେ ହଠାତ ଶରୀରରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ କଟକ ବଡ଼ମେଡିକାଲ ନେଇଥିବାବେଳେ ସେଠାରେ ତାଙ୍କର ପରଲୋକ ହୋଇଯାଇଛି।

୧୯୩୪ ମସିହା ଜୁନ୍‌ ୧୦ ତାରିଖରେ କଟକ ଜିଲ୍ଲାର ଆଠଗଡ଼ ରାଧାନାଥପୁର ଶାସନରେ ମନୋରମା ମହାପାତ୍ର ଜନ୍ମଗ୍ରହଣ କରିଥିଲେ। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଭୂଷଣ ଡ଼କ୍ତର ରାଧାନାଥ ରଥ ଓ ଧର୍ମପ୍ରାଣା ସାବିତ୍ରୀ ଦେବୀଙ୍କର ସେ ଥିଲେ ଚତୁର୍ଥ ସନ୍ତାନ ଓ ସ୍ୱର୍ଗତ ପଦାରବିନ୍ଦ ମହାପାତ୍ରଙ୍କର ଧର୍ମପତ୍ନୀ। ପ୍ରାଥମିକ ଶିକ୍ଷା ଶେଷକରି ରେଭେନ୍ସା ଗାର୍ଲ ହାଇସ୍କୁଲରୁ ମାଟ୍ରିକ୍‌ ପାସ୍‌ କରିବା ପରେ ସେ ଉଚ୍ଚ ଶିକ୍ଷା ପାଇଁ ତର୍କଶାସ୍ତ୍ର, ଅର୍ଥଶାସ୍ତ୍ର ଓ ସଂସ୍କୃତ ଆଦି ବିଷୟମାନ ରଖି କଲେଜରେ ନାମ ଲେଖାଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟରୁ ସର୍ବୋଚ୍ଚ ନମ୍ବର ରଖ୍ ଉତ୍ତୀର୍ଣ୍ଣ ହୋଇଥିଲେ। ଅର୍ଥନୀତିରେ ସ୍ନାତକୋତ୍ତର ସହ ୧୯୭୦ ମସିହାରେ ଓଡ଼ିଶା ଶିକ୍ଷା ବିଭାଗରେ ଯୋଗଦେଇ ଅର୍ଥନୀତି ପ୍ରାଧ୍ୟାପିକା ଭାବରେ ଦୀର୍ଘ ୧୫ବର୍ଷ କାଳ ଶିକ୍ଷାଦାନ କରିଥିଲେ। ମାତ୍ର ସମାଜ ସେବାରେ ନିଜକୁ ପୂର୍ଣ୍ଣ ନିୟୋଜିତ କରିବା ଲକ୍ଷ୍ୟନେଇ ୧୯୮୫ ମସିହାରେ ସେ ସରକାରୀ ଚାକିରିରୁ ଅବସର ନେଇ ସାମ୍ବାଦିକତା ଓ ସାହିତ୍ୟ ସେବାରେ ନିଜକୁ ନିୟୋଜିତ କରିଥିଲେ।

ଓଡ଼ିଆ, ସଂସ୍କୃତ, ହିନ୍ଦୀ, ଇଂରାଜୀ, ବଙ୍ଗଳା ଭାଷାରେ ପାରଙ୍ଗମ ଶ୍ରୀମତୀ ମହାପାତ୍ର ଦୀର୍ଘ ୬୦ ବର୍ଷରୁ ଅଧିକ କାଳ ଓଡ଼ିଆ ସାହିତ୍ୟ, ଶିଶୁ ସାହିତ୍ୟ, ଅନୁବାଦ ଆଦି ପ୍ରତିଟି ବିଭାଗରେ ନିଜର ପ୍ରତିଭାର ପରିଚୟ ଦେଇଛନ୍ତି। ବହୁ ଉପାଦେୟ ଲେଖା ଇଂରାଜୀ, ସଂସ୍କୃତ, ହିନ୍ଦୀ ତଥା ବିଭିନ୍ନ ଭାରତୀୟ ଭାଷାରେ ପୁସ୍ତକ ଆକାରରେ ପ୍ରକାଶିତ ହୋଇ ପାଠକମାନଙ୍କ ସ୍ବୀକୃତି ଲାଭ କରିଛି। ବଳିଷ୍ଠ ସ୍ତମ୍ଭକାର ଭାବେ ‘ଝିଟିପିଟି କହେ’ ସ୍ତମ୍ଭରେ ଶତାବ୍ଦୀ ନାମରେ ସେ ଦୈନିକ ‘ସମାଜ’ ପୃଷ୍ଠାରେ ବହୁବର୍ଷ ଧରି ଲେଖୁ ଆସୁଥିଲେ। ଶ୍ରୀମତୀ ମନୋରମାଙ୍କର ଦେଶାତ୍ମବୋଧକ କବିତା ବହି ‘ଭାରତ ମାତା’ କବିତା ଏବେ ଅଷ୍ଟମ ଶ୍ରେଣୀର ପାଠ୍ୟ ପୁସ୍ତକ ରୂପେ ପ୍ରଚଳନ ହୋଇଛି।

ଏହାବ୍ୟତୀତ ତାଙ୍କର କବିତା ସାମ୍ରାଜ୍ୟକୁ ପ୍ରଥମ ଭେଟି ‘ଜୁଆର ଯେଉଁଠି ଉଠେ’, ଯେଉଁଥିରେ ନାରୀ ଜୀବନର ଗଭୀର ଅନାବିଳ ଭାବ, ଦୁଃଖ, ସୁଖର ପ୍ରକୃତ ଚିତ୍ର ଭାସିଉଠେ; ସେହିପରି ‘ବୈଦେହୀ ବିସର୍ଜିତା’ ଓ ‘ରୂପମ୍ ରୂପମ୍ ପ୍ରତିରୂପମ୍’ ପ୍ରକାଶିତ ହୋଇ ଖୁବ୍ ପ୍ରସିଦ୍ଧି ଲାଭ କରିଅଛି। ଅନ୍ୟାନ୍ୟ କୃତି ମଧ୍ୟରେ ‘ସମୟ ପୁରୁଷ’ (୨୦୦୮), ସ୍ମୃତି ଚନ୍ଦନ, ମଧୁବାତା ଋତାୟତେ (୧୯୯୦), ବନ୍ଦ ଘରକେ କିବାଡ଼ (ହିନ୍ଦୀ) ଇତ୍ୟାଦି ପାଠକ ମହଲରେ ବେଶ୍ ଆଦୃତି ଲାଭ କରିଛି । ସେ ୧୯୮୪ ମସିହାରେ ସାହିତ୍ୟ ଏକାଡ଼େମି ସମ୍ମାନ ଲାଭ କରିଥିଲେ। ଆଉ ସେ ନାହାନ୍ତି। ସବୁଦିନ ପାଇଁ ଇହଧାମରୁ ବିଦାୟ ନେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button