କେନ୍ଦ୍ର ଓ ଦିଲ୍ଲୀ ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ଦିଲ୍ଲୀରେ ଦିନକୁ ଦିନ ବଢ଼ି ଚାଲିଛି ବାୟୁ ପ୍ରଦୂଷଣ। ଏହାକୁ ନେଇ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ଓ ଦିଲ୍ଲୀ ସରକାର ଉପରେ ବର୍ଷିଥିବା ବେଳେ ପ୍ରଦୂଷଣ ରୋକିବାକୁ କ’ଣ ପଦେକ୍ଷପ ନିଆଯାଇଛି ଜଣାଇବା ପାଇଁ କୋର୍ଟ କହିଛନ୍ତି।
ସୋମବାର ଦିଲ୍ଲୀ ସରକାରଙ୍କ ପକ୍ଷରୁ ପ୍ରଦୂଷଣ ମାମଲାକୁ ନେଇ ଦାଖଲ କରାଯାଇଥବା ସତ୍ୟପାଠରେ କୁହାଯାଇଛି ଦିଲ୍ଲୀକୁ ସମ୍ପୂର୍ଣ୍ଣ ଲକଡାଉନ୍ କରିବାକୁ ସରକାର ପ୍ରସ୍ତୁତ। ଯଦି ଏନ୍ସିଆର୍କୁ ଲକଡାଉନ୍ ନକରାଯାଏ ଏହାର ପ୍ରଭାବ ପଡିବ। ତେବେ ସୁପ୍ରିମକୋର୍ଟ ସତ୍ୟପାଠକୁ ଛାଡି ପ୍ରଦୂଷଣ ରୋକିବା ପାଇଁ କ’ଣ ସବୁ ପଦେକ୍ଷପ ନେଇଛ ବୋଲି ଦିଲ୍ଲୀ ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ। କୋର୍ଟ କହିଛନ୍ତି ଆରୋପ ପ୍ରତ୍ୟାରୋପ ଛାଡ। ପ୍ରଚାର ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହାର ଅଡିଟ୍ କରିବାକୁ ଆମକୁ ବାଧ୍ୟ କରନ୍ତୁ ନାହିଁ। ଆପଣ କୃଷକମାନଙ୍କ ସହ ଆଲୋଚନା କରି ଅତି କମ୍ରେ ଏକ ସପ୍ତାହ ପର୍ଯ୍ୟନ୍ତ ନଡା ନ ଜଳିବା ପାଇଁ କହିବା ଉଚିତ। ଏହାଛଡା କୋର୍ଟ କହିଛନ୍ତି କେଉଁ ଶିଳ୍ପ ବନ୍ଦ ହୋଇପାରିବ, କେଉଁ ଗାଡ଼ିର ପ୍ରବେଶ ବନ୍ଦ ହୋଇପାରିବ, କେଉଁ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇପାରିବ ଓ ବିକଳ୍ପ ବିଦ୍ୟୁତ୍ ଯୋଗାଣ କ’ଣ ହେବ ? ଆସନ୍ତାକାଲି ଭିତରେ ଏସବୁ ବିଷୟ ଜଣାନ୍ତୁ।
ସେହିପରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଆମେ ଚାହୁଁ ଦିଲ୍ଲୀ ଏନ୍ସିଆର୍ରେ ପ୍ରଦୂଷଣର ହ୍ରାସ ହେଉ। ଆମକୁ ରଜନୀତି ସହ କୌଣସି ସମ୍ପର୍କ ନାହିଁ। ଗତ ଶୁଣାଣି ବେଳେ ସ୍ଥିତି ବେଶ୍ ଚିନ୍ତାଜନକ ରହିଛି ଓ ତତ୍କାଳ ଉପାୟ କରିବାକୁ କୁହାଯାଇଥିଲା। ଆପଣ ଯେଉଁ ସବୁ ଉପାୟ କହୁଛନ୍ତି ତାହା ଦୀର୍ଘକାଳୀନ ସମାଧାନ। ଆମକୁ ତତ୍କାଳ ସମାଧାନ ଦରକାର ବୋଲି କୋର୍ଟ କହିଛନ୍ତି। ନଡା ଜାଳିବାକୁ ଛାଡି ଧୂଳି, ପରିବହନ ଓ ଶିଳ୍ପ ଉପରେ ଧ୍ୟାନ ଦିଅନ୍ତୁ। ଯଦି ଆମେ ଏହି ତିନୋଟି ବନ୍ଦ କରିଦେବା ତେବେ ପ୍ରଦୂଷଣ କମ୍ ହେବ। ଦିଲ୍ଲୀ ସରକାର ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ ଚାଷୀଙ୍କୁ ଉପରେ ପୂରା ଦୋଷ ଲଦି ଦିଆଯାଇଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ। ସରକାର ଯାହା କାମ କରିବେ ବୋଲି ଆମେ ଆଶା କରିଥିଲୁ ତାହା ଘଟିଲା ନାହିଁ। ଆସନ୍ତାକାଲି ଭିତରେ ଶିଳ୍ପ, ସଡକ, ଘରୁ କାମ, ନଡା ଉପରେ ଆମକୁ ଉତ୍ତର ଦରକାର। ଏନେଇ ଆସନ୍ତାକାଲି ସୁଦ୍ଧା ଆଫିଡେଭିଟ୍ ଦାଖଲ କରିବାକୁ ଦିଲ୍ଲୀ ସରକାରଙ୍କୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତାକାଲି ସନ୍ଧ୍ୟାରେ କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ।