ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ହୋଇଛି : ଗଜପତି

ଭୁବନେଶ୍ଵର : ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଚ୍ଛିତ ମୂଲ୍ୟବାନ ସମ୍ପତ୍ତିର ଗଣତି ଓ ମଣତି କରାଯିବ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୪ତାରିଖରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏପରିକି ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ସମୀର ମହାନ୍ତିଙ୍କ ଦ୍ଵାରା ହାଇକୋର୍ଟରେ ଆଗତ ଜନସ୍ଵାର୍ଥ ମାମଲାର ଶୁଣାଣି ସମୟରେ ହାଇକୋର୍ଟ ପରିଚାଳନା କମିଟିର ସମସ୍ତ ନିଷ୍ପତ୍ତି ଠିକ୍ ବୋଲି ଦର୍ଶାଇଥିବା ଗଜପତି ମହାରାଜା ଦିବ୍ୟସିଂହ ଦେବ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି।

ବୁଧବାର ବିଜେପି ପ୍ରତିନିଧି ଦଳ ଗଜପତିଙ୍କୁ ଭେଟିବା ପରେ ସେ କହିଛନ୍ତି ଗତ ଅଗଷ୍ଟରେ ବସିଥିବା ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ରତ୍ନଭଣ୍ଡାର ଖୋଲିବା ରଥଯାତ୍ରା ହିଁ ପ୍ରକୃଷ୍ଟ ସମୟ। କାରଣ ଏହାର କିଛି ମାସ ମଧ୍ୟରେ କୌଣସି ବିଶେଷ ପର୍ବପର୍ବାଣୀ ନଥାଏ। ଯାତ୍ରୀ ଓ ଦର୍ଶନାର୍ଥୀଙ୍କ ସଂଖ୍ୟା ଅପେକ୍ଷାକୃତ କମ୍‌ ଥାଏ। ବର୍ତ୍ତମାନ ସମୟରେ କିମ୍ବା ଆଗାମୀ କିଛି ମାସ ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ଉଚିତ୍‌ ହେବ ନାହିଁ। କାରଣ ରଥଯାତ୍ରା ପୂର୍ବରୁ ରତ୍ନଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସମ୍ପତ୍ତି ମଣତି ଓ ଗଣତି ସହିତ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ କରାଗଲେ ଏହି ସମୟରେ ଶ୍ରୀମନ୍ଦିରରେ ଅନେକ ମୁଖ୍ୟ ପର୍ବପର୍ବାଣୀ ଅନୁଷ୍ଠିତ ହେଉଥିବାରୁ ଏହା ମହାପ୍ରଭୁଙ୍କ ନୀତିକ୍ରାନ୍ତି ଓ ସେବା ପୂଜାକୁ ପ୍ରଭାବିତ କରିପାରେ। ଏଥିସହ ଏହି ସମୟରେ ଶ୍ରୀମନ୍ଦିରରେ ଅଧିକ ଭକ୍ତଙ୍କ ସମାଗମ ହେଉଥିବା ଦୃଷ୍ଟିରୁ ଏହା ଦର୍ଶନରେ ମଧ୍ୟ ଅସୁବିଧା ସୃଷ୍ଟି କରିପାରେ। କାରଣ ରତ୍ନଭଣ୍ଡାର, ଜଗମୋହନ ଏବଂ ଗର୍ଭଗୃହ ସଂଲଗ୍ନ ପରିସର ଅନ୍ତର୍ଭୁକ୍ତ ଅଟେ।

ସେହିପରି ଭାରତୀୟ ପ୍ରତ୍ନତତ୍ତ୍ବ ସଂରକ୍ଷଣ ବିଭାଗର ଅଧୀକ୍ଷକ ଯଥାଶୀଘ୍ର ରତ୍ନଭଣ୍ଡାର କାନ୍ଥର ଲେଜର୍‌ ସ୍କାନିଂ କରିବେ। ରତ୍ନଭଣ୍ଡାରର ବର୍ତ୍ତମାନ ସ୍ଥିତି ପରଖିବା ପାଇଁ ଏହି ସ୍କାନିଂ ଭିତର ବେଢ଼ା ପଟୁ କରାଯିବ। ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ବତନ୍ତ୍ର କମିଟିର ତତ୍ତ୍ବାବଧାନରେ ରତ୍ନଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସମ୍ପତ୍ତିର ମଣତି, ଗଣତି ଏବଂ ତାଲିକା ପ୍ରସ୍ତୁତି କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଶ୍ରୀମନ୍ଦିର ଅଧିନିୟମ ୧୯୬୦ର ଧାରା ୬ ଅନୁଯାୟୀ ରତ୍ନଭଣ୍ଡାର ଖୋଲାଯିବା ସମ୍ପର୍କରେ ରାଜ୍ୟ ସରକାର ଉପଯୁକ୍ତ ନିର୍ଦ୍ଦେଶନାମା ଜାରି କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button