ଅକ୍ଟୋବର ୨ରୁ ବିଜେଡିର ଜନ ସଂପର୍କ ପଦଯାତ୍ରା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ତାରିଖ ଠାରୁ ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ‘ଜନ ସଂପର୍କ ପଦଯାତ୍ରା’ ଆରମ୍ଭ କରିବ। ଅକ୍ଟୋବର ୧୧ ଯାଏଁ ଚାଲିବ ଏହି ପଦଯାତ୍ରା। ପ୍ରତିବର୍ଷ ଭଳି ସମସ୍ତ ଦଳୀୟ କାର୍ଯ୍ୟକ୍ରମ ସହିତ ଅକ୍ଟୋବର ୨ ତାରିଖରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ, ଅକ୍ଟୋବର ୯ରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଓ ଅକ୍ଟୋବର ୧୧ରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ସହରଠାରୁ ଆରମ୍ଭ କରି ପୁରପଲ୍ଲୀରେ ଦଳ ତରଫରୁ ପାଳନ କରାଯିବ।

ପଦଯାତ୍ରା ଅବଧି ମଧ୍ୟରେ ବିଜୁ ଜନତା ଦଳର ସଭ୍ୟ ସଂଗ୍ରହ ଅଭିଯାନକୁ ଆହୁରି ବ୍ୟାପକ କରାଯିବ। ଦଳର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନୂତନ ସଦସ୍ୟ ଭାବରେ ଯୋଗଦେବା ପାଇଁ ଯୁବକ, ଛାତ୍ର ଓ ମହିଳାମାନଙ୍କୁ ଉତ୍ସାହିତ କରାଯିବ। ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ କ୍ରିୟାଶୀଳ କରାଇବା ପାଇଁ ଉଦ୍ଦିଷ୍ଟ ୫-ଟି ଓ ‘ମୋ ସରକାର’ ଭଳି ଲୋକାଭିମୁଖୀ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ। ଏଥିପାଇଁ ଏବର୍ଷ ‘ଜନ ସଂପର୍କ ପଦଯାତ୍ରା’ ଜିଲ୍ଲାସ୍ତରରୁ ନିର୍ବାଚନ ମଣ୍ଡଳୀ, ନଗର, ପଂଚାୟତ ଓ ଓ୍ଵାର୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଆୟୋଜିତ ହେବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।