ଓଡ଼ିଶାରେ କରୋନା ପ୍ରତିଷେଧକ

ଭୁବନେଶ୍ୱର : ମହାମାରୀ କରୋନା ଭାଇରସ ପ୍ରତିଷେଧକ ‘ରେମଡେସିଭିର୍’ ଆଜି ଓଡ଼ିଶାରେ ପହଞ୍ଚିଛି। ଏହି ଔଷଧ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହେବ। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ସୋମବାର ଶ୍ରୀ ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ ହାଇଦ୍ରାବାଦର ହେଟେରୋ ହେଲଥ କେୟାର ଲିମିଟେଡର କୋଭିଫୋର, କରୋନା ଔଷଧ ରେମଡେସିଭିରର ଜେନେରିକ ସଂସ୍କରଣ ଓଡ଼ିଶାରେ ପହଞ୍ଚିଛି। ଏହି ଔଷଧ ଶହେ ମିଲିଗ୍ରାମ୍ ଭିଆଲରେ (ଇଞ୍ଜେକନ ଯୋଗ୍ୟ) ଉପଲବ୍ଧ। ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କ ତତ୍ତ୍ଵାବଧାନରେ ଏହାକୁ ଗୁରୁତର ଚିକିତ୍ସା ସେଟିଂରେ ଦିଆଯିବା ଆବଶ୍ୟକ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହି ଔଷଧ ପାଇଁ ଭିଆଲ ପିଛା ସର୍ବାଧିକ ଖୁଚୁରା ମୂଲ୍ୟ ୫,୪୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଫାର୍ମା କଂପାନି ସିପ୍ଲା ପକ୍ଷରୁ କୁହାଯାଇଛି ଏହାର ରେମଡେସିଭିରର ଜେନେରିକ୍ ଭର୍ସନ ପ୍ରତି ଭିଆଲ୍ ୫ ହଜାର ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ ହେବ।

ସେ କହିଛନ୍ତି କରୋନା ମୁକାବିଲା ପାଇଁ ଜୁଲାଇ ୧ରୁ ସେରୋଲୋଜିକାଲ ସର୍ଭେ ଆରମ୍ଭ ହେବ। ଏହି ସର୍ଭେ ଭୁବନେଶ୍ୱର ସହର, ଗଞ୍ଜାମ, ଗଜପତି ଜିଲ୍ଲା ଓ କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁରରେ ହେବ। ତେବେ ପୁରୀରେ ଗତ ଶନିବାରଠାରୁ ଏହି ସର୍ଭେ ଆରମ୍ଭ ହୋଇ ଯାଇଛି। ସ୍ୱାସ୍ଥ୍ୟ ସେବାରେ ନିଯୁକ୍ତ ବ୍ୟକ୍ତିଙ୍କୁ ସେରୋଲଜିକାଲ ସର୍ଭେରେ ପରିସରଭୁକ୍ତ କରାଯାଇଛି। ଏଥିସହ ପୌର, ପରିବହନ, ପୋଲିସ କର୍ମଚାରୀଙ୍କ ସମେତ କମ୍ୟୁନିଟିରୁ ମଧ୍ୟ ଲୋକଙ୍କୁ ବାଛି ସେରୋଲଜିକାଲ ସର୍ଭେ କରାଯିବ।

ମତାମତ ଦିଅନ୍ତୁ ।