କରୋନା କଟକଣା କଡାକଡି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହିତ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋଭିଡ୍ ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି। ଏଥିସହିତ ଜୁଲାଇ ମାସ‌ରେ କରୋନା ମହାମାରୀ ମୁକାବିଲାର ରୂପରେଖ କିଭଳି ରହିବ ତାହା ସୂଚାଇ ଦେଇଛନ୍ତି। ଜୁଲାଇ ମାସରେ କୋଭିଡ୍ ମୁକ‌ାବିଲା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କଟକଣାକୁ କଡାକଡି ଭାବେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗ୍ରାମାଞ୍ଚଳରେ କୋଭିଡ କେୟାର କମିଟି ଗଠନ କରାଯିବ ସହ ପଞ୍ଚାୟତ ଓ ଟିଏମସିରେ କୋଭିଡ କେୟାର ହୋମ ବ୍ୟବସ୍ଥା କରାଯିବ। ଏଥିସହିତ କରୋନା ଯୋଦ୍ଧାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏଥିପ୍ରତି ସତର୍କତା ଅବଲମ୍ବନ କରିବେ। ସରକାରୀ କାର୍ଯ୍ୟାଳୟକୁ କରୋନାଠାରୁ ଦୂରେଇ ରଖିବାକୁ ପଦକ୍ଷେପ ନେବାକୁ ପଡିବ। ମାସ୍କ ପିନ୍ଧୁ ନଥିବା ଓ ସାମାଜିକ ଦୂରତା ରଖୁନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଜିରୋ ଟଲେରାନ୍ସ ନୀତି ଅବଲମ୍ବନ କରାଯିବ। ଘରୋଇ ହସ୍ପିଟାଲଗୁଡ଼ିକ ସତର୍କତାମୂଳକ ପଦକ୍ଷେପ ନେବେ। ହଟସ୍ପଟ ଅଞ୍ଚଳ ପାଇଁ ଜିଲ୍ଲାପାଳମାନେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବେ। ସରକାରଙ୍କ ସବୁ ବିଭାଗ କରୋନା ଯୁଦ୍ଧରେ ସକ୍ରିୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ଓ ଏସପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।