କର୍ଣ୍ଣାଟକ: ଆସ୍ଥା ଭୋଟରେ ହାରିଲା କଂଗ୍ରେସ-ଜେଡ଼ିଏସ୍‌ ମେଣ୍ଟ ସରକାର

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଶେଷ ହୋଇଛି ରାଜନୈତିକ ନାଟକ। ଆସ୍ଥା ଭୋଟରେ ହାରିଛି କୁମାରସ୍ୱାମୀଙ୍କ ମେଣ୍ଟ ସରକାର। ସରକାର ସପକ୍ଷରେ ୯୯ଟି ଭୋଟ ପଡିଥିବା ବେଳେ ବିରୋଧରେ ମତଦାନ କରିଛନ୍ତି ୧୦୫ ବିଧାୟକ। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ଵାମୀ ଖୁବଶୀଘ୍ର ରାଜଭବନ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବେ। ତାଙ୍କ ଇସ୍ତଫା ପରେ ରାଜ୍ୟପାଳ ବଜୁଭାଇ ଭାଲା ବିଜେପି ନେତା ବିଏସ ୟେଦୁରପ୍ପାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି।  

ମଙ୍ଗଳବାର କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟ ପ୍ରକ୍ରିୟା ସଂଧ୍ୟା ୭.୩୦ରେ ଆରମ୍ଭ ହୋଇଥିଲା। ୭.୪୦ମିନିଟରେ ଫଳାଫଳ ଘୋଷଣା ହେଲା । କଂଗ୍ରେସ-ଜେଡ଼ିଏସ୍‌ ସରକାର ସପକ୍ଷରେ ୯୯ଭୋଟ ଏବଂ ବିପକ୍ଷରେ ୧୦୫ ଭୋଟ ପଡ଼ିଥିବାରୁ କୁମାରସ୍ୱାମୀଙ୍କ ସରକାର ପରାଜିତ ହୋଇଥିବା ଘୋଷଣା କରିଥିଲେ ବାଚସ୍ପତି କେ.ଆର.ରମେଶ କୁମାର । ଯାହା ଫଳରେ ୧୪ ମାସର କଂଗ୍ରେସ-ଜେଡ଼ିଏସ୍‌ ମେଣ୍ଟ ସରକାର ଭାଙ୍ଗି ଯାଇଛି।

ଅନ୍ୟପକ୍ଷରେ କର୍ଣ୍ଣାଟକ ବିଧାନସଭାରେ ଏବେ ସଂଖ୍ୟାଗରିଷ୍ଠ ଦଳ ଭାରତୀୟ ଜନତା ପାର୍ଟି। ଏହାର ରାଜ୍ୟ ସଭାପତି ବି.ଏସ୍. ୟେଦୁରପ୍ପା ସରକାର ଗଠନ ଲାଗି ଦାବି ଜଣାଇବାକୁ ରାଜ୍ୟପାଳଙ୍କ ନିକଟକୁ ଯାଇଥିବା ସୂଚନାମିଳିଛି।

ମତାମତ ଦିଅନ୍ତୁ ।