ଚାନ୍ଦବାଲି: ଭାଇକୁ ମାଡମାରି ଭଉଣୀକୁ ଗଣଦୁଷ୍କର୍ମ

ଭୁବନେଶ୍ଵର : ଭଦ୍ରକ ଜିଲ୍ଲାରେ ଘଟିଛି ଲଜ୍ଜାଜଣକ ଘଟଣା। ଭାଇକୁ ମାଡମାରି ଭଉଣୀକୁ ଦୁଇଜଣ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ହଷ୍ଟେଲ୍‌ରେ ରହି +୨ରେ ପଢୁଥିବା ନାବାଳିକା ରବିବାର ବଡ଼ଓସ୍ତିଆ ଗ୍ରାମପଞ୍ଚାୟତର ଗୋପାଳପୁର ଗ୍ରାମ ମାମୁଘରକୁ ଯାଇଥିଲେ। ମାଉସୀପୁଅ ଭାଇ ସାଗର ମହାଳିକ ମଧ୍ୟ ମାମୁଘରକୁ ଆସିଥିବାରୁ ଦୁହେଁ ରବିବାର ରାତିରେ ଚାନ୍ଦବାଲି କାଳୀପଡ଼ିଆକୁ ଯାତ୍ରା ଦେଖି ଯାଇଥିଲେ। ଭଉଣୀ ଅସୁସ୍ଥ ଅନୁଭବ କରିବାରୁ ଯାତ୍ରା ମଝିରୁ ଉଠି ଦୁଇଜଣ ସାଇକେଲ୍‌ରେ ମାମୁଘରକୁ ଫେରିବା ବାଟରେ ୪ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ସାଗରକୁ ମାରଧର କରିଥିଲେ। ଯୁବକମାନଙ୍କ ମଧ୍ୟରୁ ଜଣେ ସେଠାରେ ସାଗରକୁ ଅଟକାଇ ରଖିଥିବା ବେଳେ ଅନ୍ୟ ୩ ଜଣ ଭଉଣୀକୁ ଅଗ୍ନିଶମ କେନ୍ଦ୍ର ପଛ କୃଷି ବିଭାଗ କାର୍ଯ୍ୟାଳୟ ପାଖ ଝାଉଁବଣକୁ ଉଠାଇ ନେଇଥିଲେ। ଦୁଇଜଣ ଦୁଷ୍କର୍ମ କରିଥିବା ପୀଡ଼ିତା କହୁଥିବା ବେଳେ ସେମାନେ ତାଙ୍କୁ ମାଡମାରି ଦୁଷ୍କର୍ମ ଦୃଶ୍ୟର ଭିଡିଓ ମୋବାଇଲ୍‌ରେ ଉତ୍ତୋଳନ କରିବେ ବୋଲି ଧମକ ଦେଉଥିବା କହିଛି। କିନ୍ତୁ ସାଗରଙ୍କ ପାଟି ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଯିବାରୁ ତିନିଜଣ ଯୁବକ ଘଟଣାସ୍ଥଳରୁ ଖସି ପଳାଇଥିଲେ। ହେଲେ ସାଗରଙ୍କୁ ଅଟକାଇ ରଖିଥିବା ଯୁବକକୁ ଧରାପଡିଥିଲା। ଗ୍ରାମବାସୀ ତାକୁ ଖୁଣ୍ଟରେ ବାନ୍ଧି ପକାଇଥିଲେ। ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଆଣି ଥାନାରେ ଅଟକ ରଖିଛି।

ମତାମତ ଦିଅନ୍ତୁ ।