ଚୀନକୁ ଧକ୍କା: ରଦ୍ଦ ହେଲା ୪ଜି ଟେଣ୍ଡର

ନୂଆଦିଲ୍ଲୀ: ଚୀନକୁ ସୀମାରେ ଭାରତୀୟ ସୈନ୍ୟମାନେ ଜୋରଦାର ଜବାବ ଦେଉଥିବାବେଳେ ସରକାର ଆର୍ଥିକ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଝଟକା ଦେବାରେ ଲାଗିଛନ୍ତି । ୨ ଦିନ ପୂର୍ବରୁ ୫୯ ଚୀନ ଆପକୁ ବ୍ୟାନ କରିବା ପରେ ଆଜି ଆଉ ଏକ ବଡ଼ ନିଷ୍ପତି ନେଇଛନ୍ତି । ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ ବିଏସ୍‌ଏନ୍‌ଏଲ୍ ଓ ଏମ୍‌ଟିଏନ୍‌ଏଲ୍ ନିଜର ୪ଜି ଟେଣ୍ଡରକୁ ରଦ୍ଦ କରିଦେଇଛନ୍ତି । ଭାରତ ସରକାର ଚୀନରୁ କୌଣସି ସାମଗ୍ରୀ ନ କିଣିବାକୁ ନିର୍ଦ୍ଦେଶ ଦେବାପରେ ବିଏସ୍‌ଏନ୍‌ଏଲ୍ ଓ ଏମ୍‌ଟିଏନ୍‌ଏଲ ଏପରି ନିଷ୍ପତି ନେଇଛନ୍ତି । ନୂଆ ଟେଣ୍ଡରରେ ମେକ୍ ଇନ୍ ଇଣ୍ଡିଆ ଓ ଭାରତୀୟ ଟେକ୍ନୋଲଜିକୁ ପ୍ରୋତ୍ସାହନ ଦେବା ଲାଗି ନୂଆ ପ୍ରାବଧାନ ରହିବ । ପୂର୍ବରୁ ବିଏସ୍‌ଏନ୍‌ଏଲ୍ ଓ ଏମ୍‌ଟିଏନ୍‌ଏଲ ଉପରେ ଶସ୍ତାରେ ଚୀନ ସାମଗ୍ରୀ କିଣିବାର ଅଭିଯୋଗ ଆସିଥିଲା । ଏହା ପରେ ଟେଲିକମ୍ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶରେ କୁହାଯାଇଥିଲା କି ୪ଜି ଅପଗ୍ରେଡେସନ୍ ଲାଗି କୌଣସି ଚୀନ ନିର୍ମିତ ଉପକରଣର ବ୍ୟବହାର କରାଯାଇପାରିବ ନାହିଁ । ପୂରା ଟେଣଣ୍ଡରକୁ ପୁଣିଥରେ ନୂଆ ରୂପରେ ଜାରି କରାଯିବ ବୋଲି ସୂଚନା ମିଳିଛି ।
ସେହିପରି ଭାରତୀୟ ରେଲୱେ ସିଗନାଲିଂରେ ୪୭୧ କୋଟି ଟଙ୍କାର ପ୍ରଜେକ୍ଟକୁ ବାତି କରିଥିବାବେଳେ ଏମ୍‌ଏମ୍‌ଆର୍‌ଡିଏ ମଧ୍ୟ ମନୋ ରେଲ୍ ସହ ଜଡ଼ିତ ଚୀନର ୨ କମ୍ପାନୀଙ୍କ ଟେଣ୍ଡରକୁ ରଦ୍ଦ କରିଦେଇଛି । ହରିଆନା ସରକାର ମଧ୍ୟ ଚୀନ କମ୍ପାନୀମାନଙ୍କର ୭୮୦କୋଟି ଟଙ୍କାର ଅର୍ଡରକୁ ରଦ୍ଦ କରିଦେଇଛି ।

ମତାମତ ଦିଅନ୍ତୁ ।