Wed. Dec 11th, 2019

ମାଲେସିୟାରୁ ବିଦାହେବେ ଜାକିର ନାଇକ୍‌ !

ନୂଆଦିଲ୍ଲୀ: ଭାରତଜନ୍ମିତ ମାଲେସିୟାର ସ୍ଥାୟୀ ବାସିନ୍ଦା ଇସ୍‌ଲାମୀୟ ଧର୍ମପ୍ରଚାରକ ଜାକିର ନାଇକ୍‌ଙ୍କୁ ସମ୍ଭବତଃ ସେଠାରେ ଆଉ ରହିବାକୁ ଅନୁମତି ମିଳି ନପାରେ। କାରଣ ଏହା ଉପରେ ପ୍ରଶ୍ନ ଉଠିଛି। ଜାକିରଙ୍କୁ ରହିବାକୁ ଅନୁମତି ଦେବା ଅନୁଚିତ ବୋଲି କହିଛନ୍ତି ମାଲେସୀୟ ମାନବ ସମ୍ବଳ ମନ୍ତ୍ରୀ ଏମ୍‌. କୁଳସେଗାରନ୍‌।

‘ମାଲୟମେଲ୍‌’ରେ ପ୍ରକାଶିତ ଖବର ଅନୁଯାୟୀ କୁଳସେଗାରନ୍‌ କହିଛନ୍ତି ଜାକିର ନାଇକ୍‌ଙ୍କ କାର୍ଯ୍ୟକଳାପ ସ୍ଥାୟୀ ବାସିନ୍ଦା ପାହ୍ୟାର ଯୋଗ୍ୟତା ପ୍ରତିପାଦନ କରୁନାହିଁ। ତେଣୁ ଏ ପ୍ରସଙ୍ଗ ଆସନ୍ତା କ୍ୟାବିନେଟ୍‌ ବୈଠକରେ ପଡ଼ିବ। କାରଣ ନାଇକ୍‌ ବାହାର ଦେଶର ଲୋକ। ପଳାତକ ମଧ୍ୟ। ମାଲେସିୟା ଇତିହାସ ବିଷୟରେ ଜାକିରଙ୍କର ସାମାନ୍ୟ ଧାରଣା ଥିବାରୁ ଅନ୍ୟ ମାଲେସୀୟବାସୀଙ୍କୁ ଛୋଟ କରିଦେବା ନିମନ୍ତେ ତାଙ୍କୁ ସୁବିଧା ଦିଆଯିବା ଅନୁଚିତ।

ମାଲେସିୟାରେ ବାସ କରୁଥିବା ଭାରତୀୟମାଙ୍କର ପ୍ରଧାନମନ୍ତ୍ରୀ ତୁନ୍‌ ଡ. ମହାଥିର୍‌ ମହମ୍ମଦ୍‌ଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବେଶୀ ଆନୁଗତ୍ୟ ଥିବା କଥା ଜାକିର୍‌ ନାଇକ୍‌ କହିଥିବା କୁଳସେଗାରନ୍‌ କହିଛନ୍ତି। ସେ କହିଛନ୍ତି ଆତଙ୍କବାଦ କାର୍ଯ୍ୟକଳାପ ଓ ଆର୍ଥିକ ଦୁର୍ନୀତି ମାମଲାରେ ନାଇକଙ୍କୁ ଭାରତ ଖୋଜୁଥିବାରୁ ଏବେ ସେ ଭାରତ ଯାଇ ତାଙ୍କ ନାମରେ ଥିବା ମାମଲାର ସମ୍ମୁଖୀନ ହେବାର ବେଳ ଆସିଛି ବୋଲି କୁଳସେଗାରନ୍‌ କହିଛନ୍ତି।

Leave a Reply

Your email address will not be published. Required fields are marked *