ଅଧିକ ନମ୍ବର ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ପ୍ରବର୍ତ୍ତାଉଥିଲେ ମହିଳା ପ୍ରଫେସର

ନୂଆଦିଲ୍ଲୀ : ସେକ୍ସ ବଦଳରେ ଅଧିକ ନମ୍ବର ମିଳିବ। ଏପରି କାର୍ଯ୍ୟ ପାଇଁ ଗିରଫ ହୋଇଥିଲେ ଜନୈକା ମହିଳା ପ୍ରଫେସର ନିର୍ମଳା ଦେବୀ। ଗିରଫର ୧୧ ମାସ ପରେ ମାଡ୍ରାସ୍ ହାଇକୋର୍ଟଙ୍କ ମଦୁରାଇ ବେଞ୍ଚର ଜଷ୍ଟିସ ଏନ.କିରୁବାକରଣ ଓ ଜଷ୍ଟିସ୍ ଏସ.ଏସ୍.ସୁନ୍ଦର ତାଙ୍କ ଜାମିନ ମଞ୍ଜୁର କରିଛନ୍ତି। ନିର୍ମଳା ଦେବୀ ତାଙ୍କ କଲେଜର ଛାତ୍ରୀମାନଙ୍କୁ ପରୀକ୍ଷାରେ ଅଧିକ ନମ୍ବର ପାଇବା ଲାଗି ମଦୁରାଇ କାମରାଜ ୟୁନିଭର୍ସିଟିର ଅଧିକାରୀମାନଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନା ଲାଗି ପ୍ରବର୍ତ୍ତାଇଥିବା ଅଭିଯୋଗ ହୋଇଥିଲା।  

ତେବେ ପ୍ରଫେସରଙ୍କୁ ଜାମିନ ମଞ୍ଜୁର କରାଯିବାରେ କୌଣସି ଆପତ୍ତି ନଥିବା ସରକାରୀ ଓକିଲ କୋର୍ଟଙ୍କୁ କହିବାରୁ ଜାମିନ ମଞ୍ଜୁର ହୋଇଛି। କିନ୍ତୁ ସର୍ତ୍ତ ରହିଛି ତଦନ୍ତରେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ଗଣମାଧ୍ୟମରେ କୌଣସି ବୟାନବାଜି କରିବେନି। ନିର୍ମଳାଦେବୀ ଦେବାଙ୍ଗ ଆର୍ଟସ କଲେଜର ପ୍ରଫେସର ଥିଲେ। ଏକ ଅଡିଓ କ୍ଲିପ ଭାଇରାଲ ହେବା ପରେ ପୋଲିସ ନିର୍ମଳାଙ୍କୁ ଗତ ଏପ୍ରିଲ ୧୬ ତାରିଖରେ ଗିରଫ କରିଥିଲା। ମାମଲାର ପ୍ରାରମ୍ଭିକ ଯାଞ୍ଚ ବେଳେ ନିର୍ମଳାଙ୍କ କାରନାମାର ସବୁ ତଥ୍ୟ ପଦାକୁ ଆସିଥିଲା।

ସୂଚଯୋଗ୍ୟ ଯେ, ଅଡିଓ କ୍ଲିପ ଭାଇରାଲ ହେବା ପରେ କଲେଜର ଏକ ମହିଳା ଫୋରମ କରିଥିବା ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ କରିଥିଲା। ତେବେ ନିର୍ମଳା ଦେବୀଙ୍କ ଗିରଫ ପୂର୍ବରୁ କଲେଜ ଅଭିଯୋଗର ଇଣ୍ଟରନାଲ ଯାଞ୍ଚକରି ତାଙ୍କୁ ଚାକିରୀରୁ ନିଲମ୍ବିତ କରିଥିଲା। ନିର୍ମଳାଙ୍କ ସୂଚନା ଆଧାରରେ ଗିରଫ ହୋଇଥିଲେ ଆସିଷ୍ଟାଣ୍ଟ ପ୍ରଫେସର ବି.ମୁରୁଗାନ ଓ ରିସର୍ଚ୍ଚ ଛାତ୍ର କରୁପ୍ପା ସାମୀ। ମୁରୁଗାନ ଓ କୁରୁପ୍ପାଙ୍କୁ ପୂର୍ବରୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ। ହେଲେ ନିର୍ମଳା ଦେବୀଙ୍କୁ ଜାମିନ ମିଳିନଥିଲା। ଗତ ସେପ୍ଟେମ୍ବର ମାସରେ ମାମଲାର ଯାଞ୍ଚ କରୁଥିବା ସିବି-ସିଆଇଡି କୋର୍ଟରେ ୨ସହ ପୃଷ୍ଠାର ଅଭିଯୋଗପତ୍ର ଦାଖଲ କରିଥିଲେ।

ମତାମତ ଦିଅନ୍ତୁ ।