ଦାମଙ୍କ ପୁରୁଣା ଖୋଇ ବାହାରିଲାଣି, ବିଜେପି ନେତା ସତର୍କ ରୁହନ୍ତୁ

ଭୁବନେଶ୍ୱର : ରାଜ୍ୟର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ବିଜୁ ଜନତା ଦଳରେ ଥିବା ବେଳେ ଦଳୀୟ ନେତା ଓ ଦଳପତି ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି ତଡା ଖାଇଥିଲେ। ତାପରେ କଂଗ୍ରେସ ଓ ବଜେପି ଉପରେ ବର୍ଷିଲେ। କିନ୍ତୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗଦେଇ ସେହି ଦଳର କଲେ ଗୁଣଗାନ। ଏବେ ବୋଧହୁଏ ମୋହଭଙ୍ଗ ହୋଇଥିବାରୁ ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି। ଲୋକେ କହୁଛନ୍ତି ଦାମଙ୍କର ପୁରୁଣା ଖୋଇ ବାହାରିଲାଣି। ବିଜେପି ନେତାଏ ସତର୍କ ରୁହନ୍ତୁ।

ତୁଣ୍ଡକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ବିଜୁ ଜନତା ଦଳରୁ ବହିଷ୍କାର ହେବା ପରଠାରୁ ଆଉ ସେ ଚର୍ଚ୍ଚା ନାହିଁ। ଥମି ଯାଇଛି। ଟିଭିରେ ବି ପୂର୍ବପରି ମୁହଁ ଦିଶୁନି। ମଣି ହରଣ ହେବାପରି କାଁ ଭାଁ ତାଙ୍କ ଦ୍ଵାରସ୍ଥ ହେଉଛି ଗଣାମାଧ୍ୟମ। ଯେଉଁ ଲୋକମାନେ ଦିନେ ପ୍ରଶଂସାରେ ପୋତି ପକାଉଥିଲେ ଏବେ ସେଇମାନେ କହୁଛନ୍ତି ଦାମବାବୁ ବର୍ଷା ଯୁଆଡେ ଛତା ସିଆଡେ ପରି ମତ ରଖନ୍ତି। ବିଜେଡିରେ ନବୀନଙ୍କ ଗୁଣଗାନ କରୁଥିଲେ। ବିଜେପିରେ ଧର୍ମେନ୍ଦ୍ରଙ୍କୁ କିଛିଦିନ ଟେକିଲେ। ଏବେ ସେଇ ଦଳର ନେତାଙ୍କ ବିରୋଧରେ ମୁହଁ ଖୋଲିଲେଣି। ଆଗକୁ ବିଶୋଦଗାର କରିବେ। ଏକଥା ଜଳଜଳ ହୋଇ ଦେଖାଯାଉଛି।

କିଛି ଦିନର ନିରବତା ପରେ ମୁହଁ ଖୋଲିଛନ୍ତି ଦାମ। ଏଥର ବିଜେଡି କିମ୍ବା କଂଗ୍ରେସ ନୁହେଁ ନିଜ ରହିଥିବା ଦଳ ବିଜେପିକୁ କରିଛନ୍ତି ଟାର୍ଗେଟ। କହିଛନ୍ତି ଦଳରେ ତାଙ୍କୁ ପଚରାଯାଉନି। ନେତାମାନେ ବି ଆଉ ପଚାରୁ ନାହାନ୍ତି। ନିର୍ବାଚନ ବେଳେ ବିଜେପି ମୋତେ ଡାକିଲା, ମୁଁ ଯିବାକୁ ସହମତ ହେଲି। ନିର୍ବାଚନରେ ଷ୍ଟାର ପ୍ରଚାରକ କରି ହେଲିକପ୍ଟରରେ ବୁଲାଇଲେ। ମୁଁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ବୁଲି ପ୍ରଚାର କଲି। ଏସରମା-ବାଲିକୁଦାରୁ ପ୍ରାର୍ଥୀହୋଇ ନିର୍ବାଚନ ଲଢିଲି। କିନ୍ତୁ ପରାଜିତ ହେଲି। ଏପରି ହେବାର ଅନେକ କାରଣ ରହିଛି। ସେ ସବୁ କହି କିଛି ଲାଭ ନାହିଁ।

ଦାମ ଆହୁରି କହିଛନ୍ତି ନିର୍ବାଚନରେ ହାରିଲା ପରେ ମୋତେ ଦଳର କୌଣସି କାର୍ଯ୍ୟକ୍ରମରେ ସାମିଲ କରାଯାଇନି। ଯେବେ ଦରକାର ପଡ଼େ ଖୋଜିବେ। ଏପରି ଅଭିମାନ ଭରା ଅଭିଯୋଗ ଆଣି ଦଳର କାର୍ଯ୍ୟକଳାପକୁ ପଦାରେ ପକାଇଛନ୍ତି ଦାମ। କହିଛନ୍ତି ଏବେ ସଦସ୍ୟ ସଂଗ୍ରହ ଅଭିଯାନ ସରିଛି। ମୋତେ କିଛି ଦାୟିତ୍ୱ ଦେଇପାରନ୍ତି। ମୁଁ ଦଳରେ ଅଛି, ମୋତେ ଦାୟିତ୍ୱ ଦେବେ କି ନାହିଁ ସେଯାଏଁ ଅପେକ୍ଷା କରିଛି। ଏଥିରୁ ସ୍ପଷ୍ଟ ହେଉଛି ଦାୟିତ୍ଵ ନମିଳିଲେ ସେ ପୁରୁଣା ରାସ୍ତାରେ ଚାଳିବେ। ଆଗକୁ ପୌର ନିର୍ବାଚନ। ସେତେବେଳକୁ ଦାମ ଯେଉଁ ବାଣ ଛାଡିବେ ସେଥିରେ ବିଜେପି ବାଲାଏ ଘାଇଲା ହେବା ଅସମ୍ଭବ ନୁହେଁ। ତେବେ ଦେଖାଯାଉ ଆଗାମୀ ଦିନରେ ଦାମ କେଉଁ ରୂପ ଦେଖାଉଛନ୍ତି।

ମତାମତ ଦିଅନ୍ତୁ ।