ଦିଲ୍ଲୀ ବାସିନ୍ଦାଙ୍କ ବକେୟା ପାଣି ବିଲ୍‌ ଛାଡ଼ କଲେ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ : ୨୦୧୯ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦିଲ୍ଲୀ ବାସିନ୍ଦାଙ୍କ ଉପରେ ବକେୟା ରହିଥିବା ପାଣି ବିଲ୍‌କୁ ଛାଡ଼ କରାଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମଙ୍ଗଳବାର ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ୧୩ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପୂର୍ବରୁ ମେଟ୍ରୋରେ ମହିଳାମାନେ ମାଗଣା ଯାତ୍ରା କରିବେ ବୋଲି ଘୋଷଣା କରିଥିଲେ। ଏଥିପାଇଁ ଦିଲ୍ଲୀ ସରକାର ଦେଇଥିଲେ ୨୯୦କୋଟି ଟଙ୍କା ଅନୁଦାନ। ଏବେ ଦିଲ୍ଲୀ ବାସିନ୍ଦାଙ୍କ ବକେୟା ପାଣି ବିଲ୍‌ ଛାଡ଼ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଯେଉଁମାନଙ୍କ ଘରେ ପାଣି ମିଟର ରହିଛି, ସେମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ। ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ଯୋଜନା ଲାଗୁ ହେବ ବୋଲି ଜଣାପଡ଼ିଛି ।

ଏହି ଯୋଜନାରେ ଏ ଏବଂ ବି ବର୍ଗର ଲୋକମାନଙ୍କର ୨୫ପ୍ରତିଶତ ବିଲ୍‌ ଛାଡ଼ କରାଯିବ। ସି ବର୍ଗର ଲୋକମାନଙ୍କର ୫୦ପ୍ରତିଶତ ବିଲ୍‌ ଛାଡ଼ କରାଯିବା ସହ ଇ, ଏଫ୍‌, ଜି, ଏଚ୍‌ ବର୍ଗର ଲୋକମାନଙ୍କର ୧୦୦ପ୍ରତିଶତ ବିଲ୍‌ ଛାଡ଼ କରାଯିବ। ଯେଉଁମାନେ ନିଜ ଘରେ ପାଣି ମିଟର ବସାଇ ନାହାନ୍ତି, ସେମାନେ ନିଜ ଘରେ ପାଣି ମିଟର ବସାଇବା ପରେ ହିଁ ଏହି ଯୋଜନାର ଲାଭ ଉଠାଇ ପାରିବେ।

ମତାମତ ଦିଅନ୍ତୁ ।