ପଦ୍ମ ଧରିଲେ ଜିତିନ ପ୍ରସାଦ : ପାଇଲଟ୍‌ଙ୍କୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : କଂଗ୍ରେସ ଛାଡିଥିବା ଜିତିନ ପ୍ରସାଦ ବିଜେପିରେ ସାମିଲ ହୋଇଛନ୍ତି। ସେ ଥିଲେ ପୂର୍ବତନ କଂଗ୍ରେସ ତଥା ସୋନିୟା ତନୟ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଟିମ୍‌ର। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରେ ଜିତିନ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବାରୁ ରାଜନୈତିକ ମହଲ ଓ ସାମାଜିକ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି। କୁହାଯାଉଛି ଏବେ ସଚିନ ପାଇଲଟଙ୍କ ପାଳି। ସେ କଂଗ୍ରେସ ହାଇକମାଣ୍ଡଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି।

ସଚିନ ପାଇଲଟ୍‌ଙ୍କୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ତାଙ୍କ ଗୋଷ୍ଠୀର ବିଧାୟକ ବେଦ ପ୍ରକାଶ ସୋଲାଙ୍କି କହିଛନ୍ତି କଂଗ୍ରେସ ପାର୍ଟି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଅଭିଯୋଗ ଉପରେ କୌଣସି ଶୁଣାଣି ହେଉ ନାହିଁ। ସଚିନଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇନାହିଁ। ସମାଧାନ ପାଇଁ ଯେଉଁ କମିଟି ଗଠନ ହୋଇଥିଲେ ହେଁ ଅଦ୍ୟାବଧି କୌଣସି ବୈଠକ ବସିନାହିଁ। ଆମେ ପ୍ରିୟଙ୍କା ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିବା ସମୟରେ ଆମ କଥା ବିଚାର କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ଡକାଗଲା ନାହିଁ। ଖୋଦ୍ ଦିଲ୍ଲୀ ଯାଇ ଆମେ ସମସ୍ତ ବିଷୟରେ ଅବଗତ କରିଥିଲେ କୌଣସି ଫରକ ପଡିଲା ନାହିଁ।

ସୂଚନାଯୋଗ୍ୟ ଗତବର୍ଷ ଅଗଷ୍ଟ ମାସରେ ସଚିନ ପାଇଲଟଙ୍କ ନେତୃତ୍ଵରେ ରାଜସ୍ଥାନର ଅନେକ କଂଗ୍ରେସ ବିଧାୟକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ବିଦ୍ରୋହର ସ୍ଵର ଉଠାଇଥିଲେ। ସେହି ସମୟରେ ଦୁଇ ଗୋଷ୍ଠୀର ନେତା ଅନେକ ଦିନ ଧରି ହୋଟେଲ୍‌ରେ ନିଜ ସମର୍ଥକ ବିଧାୟକଙ୍କୁ ନେଇ ରଖିଥିଲେ। ସେହି କାରଣରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସଚିନ ପାଇଲଟଙ୍କୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ସହିତ ତାଙ୍କ ସମର୍ଥକ ବିଶ୍ଵେନ୍ଦ୍ର ସିଂହ ଓ ରମେଶ ମୀଣାଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିଥିଲେ। ଗେହଲଟ ସରକାର ଅସ୍ଥିର ହେବା ଦେଖି ବିଜେପି ସକ୍ରିୟ ହୋଇ ଉଠିଥିଲା। ମାତ୍ର ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ସଚିନ ପାଇଲଟ୍ କୌଣସି ପଦକ୍ଷେପ ନନେଇ ନୀରବ ରହିଥିଲେ। ଇତିମଧ୍ୟରେ ୧୦ ମାସ ବିତିଗଲାଣି। ଗୁରୁବାର ସଚିନ ପାଇଲଟ ନିଜ ଘରେ ଆଠ ବିଧାୟକଙ୍କ ସହିତ ବୈଠକ ଆରମ୍ଭ କରିଛନ୍ତି। ଯାହା ସୁଚାଇ ଦେଉଛି ପୁଣି ଥରେ ବିଦ୍ରୋହର ସ୍ଵର ଉଠିଛି।

ସଚିନ ପାଇଲଟ୍‌ ମଙ୍ଗଳବାର କହିଛନ୍ତି ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରାଯାଇ ନାହିଁ। ମୋତେ ବୁଝାଇ ଦିଆଯାଇଥିଲା ସମାଧାନ କମିଟି ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ। ହେଲେ ସରକାରଙ୍କୁ ଅଧା କାର୍ଯ୍ୟକାଳ ପୂରା ହୋଇ ସାରିଥିଲେ ମଧ୍ୟ ପ୍ରସଙ୍ଗ ଗୁଡିକ ଅସମାହିତ ହୋଇ ରହିଛି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଯେଉଁ କାର୍ଯ୍ୟକର୍ତ୍ତା ପାର୍ଟିକୁ କ୍ଷମତାସୀନ କରିବାରେ ଦିନରାତି ଏକ କରି ନିଜର ସବୁ କିଛି ତ୍ୟାଗ କରି ଦେଇଥିଲା ତାଙ୍କ ଅଭିଯୋଗର ସମାଧାନ କରାଯାଉ ନାହିଁ।

ସମ୍ବନ୍ଧିତ ଖବର
between image and heading

Comments are closed.