ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି ବାତ୍ୟା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟିହୋଇଥିବା ବାତ୍ୟା ‘ବୁଲବୁଲ’ର ପ୍ରଭାବ ଓଡିଶାରେ ଉପରେ ପଡିବନି। ଭାରତୀୟ ପାଣିପାଗ ବିଭାଗ ବିଭାଗ ପକ୍ଷରୁ ଜାରି ନୂଆ ବୁଲେଟିନରୁ ଏହି ସୂଚନା ମିଳିଥିବା ବେଳେ ସାମୁଦ୍ରିକ ବାତ୍ୟା ଧୀରେ ଧୀରେ ଉତ୍ତର ଦିଗରେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ମୁହାଁଇଛି ବୋଲି କୁହାଯାଇଛି। ତେବେ ଏହାର ପ୍ରଭାବରେ ଆସନ୍ତା ୯ ଓ ୧୦ ତାରିଖରେ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏବେ ଏହା ପାରାଦୀପଠାରୁ ୮୦୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଓ ସାଗର ଦ୍ୱୀପଠାରୁ ୯୧୦ କିମି ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ରହିଛି।

ସମ୍ଭାବ୍ୟ ବର୍ଷା-ପବନର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଧାନ ଅମଳ ସମୟ ହୋଇଥିବାରୁ ଅମଳକ୍ଷମ ଫସଲକୁ ଚାଷୀମାନେ କିପରି ସୁରକ୍ଷିତ ରଖିବେ ସେ ନେଇ କୃଷି ବିଭାଗ ଆଡ଼ଭାଇଜରି ଜାରି କରି ସତର୍କ କରିଛି। ମତ୍ସ୍ୟଜୀବୀମାନଙ୍କୁ ୮ ତାରିଖ ସକାଳ ସୁଦ୍ଧା ସମୁଦ୍ରରୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ପୁଣିଥରେ ସମ୍ଭାବ୍ୟ ବାତ୍ୟା ନେଇ ଭୟଭୀତ ନହେବାକୁ ଅପିଲ୍ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା। ଏହାଛଡା ଜିଲ୍ଲାସ୍ତରରେ ୨୪ ଘଣ୍ଟିଆ କୋଣ୍ଟ୍ରୋଲ୍ ରୁମ୍, ଶୁଖିଲା ଖାଦ୍ୟ, ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଉଛି।
ଅନ୍ୟପକ୍ଷରେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ ଧୀରେ ଧୀରେ ଦୁର୍ବଳ ହେଉଛି। ଗୁରୁବାର ମଧ୍ୟାହ୍ଣରେ ଏହା ସ୍ଥଳଭାଗ ଛୁଇଁବ। ଗୁଜୁରାଟ ଉପକୂଳ ବଦଳରେ ଏହା ଡିଉଠାରୁ ୪୦ କିମି ଦକ୍ଷିଣରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବାବେଳକୁ ଏହାର ଶକ୍ତି ହ୍ରାସ ପାଇଥିବ ବୋଲି ଆଇଏମଡି କହିଛି।

ମତାମତ ଦିଅନ୍ତୁ ।