ପୁରୁଣା ସରକାରୀ କ୍ୱାଟର୍ସ ଭଙ୍ଗାଯିବ

ଭୁବନେଶ୍ୱର : ରାଜଧାନୀରେ ସରକାରୀ କ୍ୱାଟର୍ସ ଅଭାବକୁ ଦୂର କରିବା ପାଇଁ ରାଜ୍ୟ ସରକାର କମ୍ପ୍ରେନସିଭ୍ ଗଭର୍ଣ୍ଣମେଣ୍ଟ ଆକୋମେଡେସନ୍ ଡେଭଲପମେଣ୍ଟ ପ୍ରୋଗ୍ରାମ (ଜିଏଡିପି) ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୫୦ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା କ୍ୱାଟର୍ସ ଗୁଡ଼ିକୁ ଭାଙ୍ଗି ନୂଆ ନିର୍ମାଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୨୦୦କୋଟି ଟଙ୍କାର ବଜେଟ୍ ପ୍ରାବଧାନ କରାଯିବା ସହ ସାପ୍ତାହିକ ବ୍ୟବଧାନରେ ଅଗ୍ରଗତିର ତଦାରଖ ନିମନ୍ତେ ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ଏକ ଷ୍ଟିୟରିଂ କମିଟି ଗଠନ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ବିଧାୟକମାନଙ୍କ ପାଇଁ ଉଦ୍ଦିଷ୍ଟ ୫୦% କ୍ୱାଟର୍ସକୁ ଭାଙ୍ଗି ସେଠାରେ ବହୁତଳ ପ୍ରାସାଦ ନିର୍ମାଣ ଲାଗି ବାଚସ୍ପତି ଗତମାସରେ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ କ୍ୱାଟର୍ସ ଅଭାବ ଦୂର କରିବାକୁ ପୁରୁଣା କ୍ୱାଟର୍ସ ଗୁଡ଼ିକର ପୁନଃନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଣିକି ସରକାରୀ କର୍ମଚାରୀମାନଙ୍କ ପାଇଁ ଆପାର୍ଟମେଣ୍ଟ୍ ଷ୍ଟାଇଲରେ ଗୃହ ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।
ପ୍ରଥମ ପର୍ଯ୍ୟାୟରେ ୟୁନିଟ୍-୮ ଡିଏଭି ସ୍କୁଲ ପାଖ ୧.୨୪୪ ଏକର ଓ ପୁରୁଣା ଏଜି କଲୋନୀରେ ଥିବା ୧.୫ଏକର ଜମିରେ ବହୁତଳ ପ୍ରାସାଦ ନିର୍ମାଣ କରାଯିବ। ଏହାସହ ଶିଶୁଭବନ ଛକରୁ ଗୁରୁଦ୍ୱାର ପର୍ଯ୍ୟନ୍ତ ଜନପଥ କଡ଼ରେ ଥିବା ସମସ୍ତ ସରକାରୀ କ୍ୱାଟର୍ସ ଗୁଡ଼ିକର ଇଷ୍ଟେଟ୍ ନିର୍ଦ୍ଦେଶକଙ୍କ ଦ୍ୱାରା ସର୍ଭେ କରାଯିବ। ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ମଧ୍ୟରେ ପ୍ରାୟ ୨୦ଏକର ଜମିକୁ ଚିହ୍ନଟ କରାଯାଇ ସେଠାରେ ନିର୍ମାଣ ହେବ ବହୁତଳ କୋଠା । ଏହାକୁ ସିପିଡବ୍ଲ୍ୟୁ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଆଧାରରେ ନିର୍ମାଣ କରାଯିବ। ଏହି ପ୍ରକଳ୍ପରେ ନିର୍ମାଣ ହେବାକୁ ଥିବା ଗୃହ ଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ୧୦ବର୍ଷ ପର୍ଯ୍ୟନ୍ତ ଟେଣ୍ଡର ନେଇଥିବା ସଂସ୍ଥା ବୁଝିବ। ଓଡ଼ିଶା ବ୍ରିଜ୍ କର୍ପୋରେସନ୍ ଏହି ପ୍ରୋଜେକ୍ଟ ଗୁଡ଼ିକର ନୋଡାଲ ଏଜେନ୍ସୀ ଭାବେ କାର୍ଯ୍ୟ କରିବ।
ସେହିପରି ଏମଏଏଲ କଲୋନୀ ୨ଟି ଗୋଟିଏ ୯ଏକର ଓ ଅନ୍ୟଟି ୧୨ଏକର ଜମିରେ ରହିଛି। ପ୍ରଥମେ ପୁନଃନିର୍ମାଣ (ଆପାର୍ଟମେଣ୍ଟ୍) କାର୍ଯ୍ୟ କେଉଁଠାରୁ ଓ କେଉଁ ବର୍ଗର ଗୃହ ନିର୍ମାଣ ଆରମ୍ଭ ହେବ, କ’ଣ ସବୁ ସୁବିଧା ରହିବ ତାହା ବାଚସ୍ପତି ନିର୍ଦ୍ଧାରଣ କରିବେ ବୋଲି ସ୍ଥିର ହୋଇଛି।

ମତାମତ ଦିଅନ୍ତୁ ।