Breaking Newsଅପରାଧ

ପୋଲିସ ବାବୁ ଧୋକାଦେବାରୁ ଏସପିଙ୍କୁ ଗୁହାରି କଲେ ପୀଡିତା

ଖଲିକୋଟ : ବିବାହର ପ୍ରତିଶ୍ରୁତି ଦେଇ ପୋଲିସ ବାବୁ ଧୋକାଦେଲେ। ଏବେ ଧରାଛୁଆଁ ଦେଉନାହାନ୍ତି। ଭେଜିପୁଟ ଫାଣ୍ଡି ଅଧିକାରୀଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଏନେଇ ଯୁବତୀ ଜଣକ ଏସପିଙ୍କ ନିକଟରେ ଗୁହାରି କରିବାରୁ ଧୋକା ଦେଇଥିବା ବାବୁଙ୍କ ନାଁ’ରେ ମାମଲା ରୁଜୁ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗଞ୍ଜାମ ଜିଲ୍ଲା ଖାଲିକୋଟ ଭେଜିପୁଟ ଫାଣ୍ଡି ଅଧିକାରୀ ୨୦୧୭ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ପ୍ରବେଶନାରୀ ଅଫିସର ରୂପେ ତାଲିମ ନେଉଥିଲେ। ସେହି ସମୟରେ ଘରୋଇ କମ୍ପାନୀରେ କାମ କରୁଥିବା ଜନୈକା ଯୁବତୀଙ୍କ ସଂସ୍ପର୍ଶରେ ଆସିଥିଲେ। ତା’ପରେ ସମ୍ପର୍କ ଆଗକୁ ବଢିଥିଲା। ବିଭିନ୍ନ ସମୟରେ ସେମାନେ ଏକତ୍ର ପୁରୀ, କୋଣାର୍କ, ନନ୍ଦନକାନନ ଓ ଅନ୍ୟ କେତେକ ସ୍ଥାନ ବୁଲିବା ସହିତ ଏକାଠି ସିନେମା ଦେଖିଛନ୍ତି। କେବଳ ସେତିକି ନୁହେଁ ବିବାହ ପ୍ରଲୋଭନ ଦେଖାଇ ଏକାଧିକ ବାର ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ ଫାଣ୍ଡି ଅଧିକାରୀ। ଦୁହିଁଙ୍କ ସମ୍ପର୍କ ଜାଣିବା ପରେ ପୋଲିସ ବାବୁଙ୍କ ବାପା ଓ ମାଆ ଜାଣିବା ପରେ ଯୁବତୀଙ୍କ ଘରକୁ ଆସି ବିବାହ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏବେ ଫାଣ୍ଡି ଅଧିକାରୀଙ୍କର ଅନ୍ୟତ୍ର ବିବାହ ପାଇଁ ନିର୍ବନ୍ଧ ହୋଇଥିବା ଜାଣିବା ପରେ ପୀଡ଼ିତା ଖଲ୍ଲିକୋଟ ଥାନାରେ ଏତାଲା ଦାଖଲ ଦେଇଥିଲେ।

ଏହି ଘଟଣା ପରେ କଥା ଆଗକୁ ନବଢ଼ାଇକୁ ଫାଣ୍ଡି ଅଧିକାରୀ କହିବା ସହିତ ଏତଲା ପ୍ରତ୍ୟାହାର ପରେ ବିବାହ ହେବ ବୋଲି କହିଥିଲେ। ଏଭଳି ପ୍ରତିଶ୍ରୁତି ପାଇବାରୁ ଯୁବତୀ ମାଜିଷ୍ଟ୍ରେଟଙ୍କ କୋର୍ଟରେ ସିଆର୍‌ପିସି ୧୬୪ ଧାରାରେ ମାମଲା ଆଗକୁ ନବଢ଼ାଇବା ପାଇଁ ବୟାନ ରେକର୍ଡ କରିଥିଲେ। ହେଲେ ଫାଣ୍ଡି ଅଧିକାରୀ କଥା ନରଖି ଠକିଥିଲେ। ବିବାହ ପାଇଁ ରାଜି ନହେବାରୁ ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ନିଜ ଆତ୍ମୀୟଙ୍କ ସହିତ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟଙ୍କୁ ଭେଟି ସମସ୍ତ ବିଷୟ ଜଣାଇଥିଲେ। ଏ ସମ୍ପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅତିରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ରଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button