ପ୍ରଧାନମନ୍ତ୍ରୀଙ୍କ ଘୋଷଣା : ନଭେମ୍ବର ପର୍ଯ୍ୟନ୍ତ ଗରିବଙ୍କୁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଦେଶର ଗରିବ ଲୋକଙ୍କୁ ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଅନଲକ-୨ ସମୟରେ ଅଧିକ ସତର୍କ ରହିବାକୁ ସେ ଆହ୍ୱାନ ଦେଇଛନ୍ତି।

ମଙ୍ଗଳବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି। ଏହା ମାଧ୍ୟମରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ମିଳିବ। ପରିବାର ପ୍ରତି ସଦସ୍ୟଙ୍କ ପିଛା ମିଳିବ ମାସକୁ ୫ କେଜି ଚାଉଳ କିମ୍ବା ଗହମ। ସେହିପରି ପ୍ରତି ପରିବାରକୁ ୧ କେଜି ଡାଲି ମାଗଣାରେ ଦିଆଯିବ। ସେ କହିଲେ ଚାଷୀ ଓ ଟିକସଦାତାଙ୍କ ପାଇଁ ଗରିବଙ୍କୁ ଅନ୍ନ ଦିଆଯାଇ ପାରୁଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ୨୦ ହଜାର ଜନଧନ ଆକାଉଣ୍ଟକୁ ୩୧ ହଜାର କୋଟି ଟଙ୍କା ଯାଇଛି। ସରକାର ସର୍ବଦା ଗରିବଙ୍କ ପାଇଁ କାମ କରୁଥିବାରୁ ଅନେକ ଯୋଜନା ପ୍ରଣୟନ କରିଛନ୍ତି।

ସେ କହିଲେ ଆସନ୍ତକାଲି ଠାରୁ ସମଗ୍ର ଦେଶରେ ଅନଲକ-୨ ଆରମ୍ଭ ହେବ। ଅନଲକ-୨ ସହ ଆମ ପାଖରେ ମୌସୁମୀ ଆସି ପହଞ୍ଚି ଗଲାଣି। ତେଣୁ ପୂର୍ବାପେକ୍ଷା ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଲକଡାଉନ ପାଇଁ ଅନେକ ଜୀବନ ରକ୍ଷା କରାଯାଇ ପାରିଛି। ସାରା ବିଶ୍ୱ ତୁଳନାରେ ଭାରତରେ କରୋନା ମୃତ୍ୟୁହାର ସବୁଠାରୁ କମ ରହିଛି। ତେବେ ଅନଲକ-୧ ପରଠାରୁ ଅନେକ ଲୋକ ଅବହେଳା କରୁଥିବା ଦେଖିବାକୁ ମିଳୁଛି। ଲକଡାଉନ ଆରମ୍ଭରୁ ଆମେ ଅଧିକ ଯତ୍ନବାନ ଥିଲେ। ହେଲେ ସତର୍କ ରହିବା ସମୟରେ ଆମେ ଅଧିକ ଅବହେଳା କରୁଛେ। ଏହା ଆଦୌ ଠିକ ନୁହେଁ। ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ।

ବିଶେଷ କରି କଣ୍ଟେନମେଣ୍ଟ ଜୋନରେ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ। ଯେଉଁମାନେ ନିୟମ ଭଙ୍ଗୁଛନ୍ତି ସେମାନଙ୍କୁ ରୋକିବା ଓ ଧରିବା ଜରୁରୀ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ କେହି ନୟମରୁ ଋର୍ଦ୍ଧ୍ୱରେ ନୁହନ୍ତି। ସରକାର ନାଗରିକଙ୍କୁ ପୂର୍ବଭଳି ସତର୍କତା ଦେଖାଇବା ଜରୁରୀ। ଏହା ୧୩୦ କୋଟି ଲୋକଙ୍କ ଜୀବନର କଥା। ତେଣୁ ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ମତାମତ ଦିଅନ୍ତୁ ।