ବାରିପଦା: ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ଘୋଷଣା ଅନୁଯାୟୀ ଚଳିତ ଶ୍ରାବଣ ମାସରେ ହେବାକୁ ଥିବା ବୋଲବୋମ ଯାତ୍ରାକୁ ନିଷିଦ୍ଧ କରାଯାଇଛି। ଫଳରେ ଉତ୍ତର ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ମାଣତ୍ରୀସ୍ଥିତ ବାବା କଖାରୁଆ ବୈଦନାଥଙ୍କ ଶୈବପୀଠରେ କାଉଡ଼ିଆଙ୍କ ଜଳାଭିଷେକ ହେବନାହିଁ। ଦେବତ୍ତୋର ବିଭାଗ ପରିଚାଳିତ ୭୦୦ବର୍ଷର ପୁରାତନ ଶୈବପୀଠ ଲକଡ଼ାଉନ ପ୍ରାରମ୍ଭ ମାର୍ଚ୍ଚ ୨୩ ତାରିଖରୁ ଅଦ୍ୟାବଧି ବନ୍ଦ ରହିଛି। କେବଳ ନୀତିକାନ୍ତିରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ସାଧାରଣ ପୂଜା ବନ୍ଦକରାଯାଇଛି। ମନ୍ଦିର ଉପରେ ନିର୍ଭଶୀଳ ୭୨ଟି ପରିବାରର ବ୍ରାହ୍ମଣ/ସେବାୟତ ଘୋର ଦୁର୍ଦ୍ଦିନରେ ଅଛନ୍ତି। ସେହିପରି ପରୋକ୍ଷରେ ନିର୍ଭରଶୀଳ ମନ୍ଦିର ସମ୍ମୁଖ ଦୋକାନୀ/ଉଠା ଦୋକାନୀ, ଅଟୋ/ଟ୍ୟାକ୍ସି ଚାଳକଙ୍କ ସହିତ ଅନ୍ୟମାନେ ଦୈନନ୍ଦିନ ରୋଜଗାରରୁ ବଞ୍ଚିତ ଅଛନ୍ତି।
ଲକଡାଉନ ଯୋଗୁ ମାଣତ୍ରୀ ବଜାରର କାରବାର ଠପ ହେବ ସହ ୪ମାସ ଧରି ଦୋକାନୀ ଭାଇ ବିକଳ୍ପ ରୋଜଗାର ପଛରେ ମରିଚିକା ଭଳି ଧାଇଁଛନ୍ତି। ଶ୍ରାବଣ ମାସରେ ଏହି ଶୈବପୀଠକୁ ଲକ୍ଷାଧିକ କଉଡିଆଙ୍କ ସମାଗମ ହୋଇଥାଏ। ବୋଲ ବୋମ ପାଇଁ ଆବଶ୍ୟକ ପୋଷାକ ଠାରୁ ଆରମ୍ଭ କରି ବାହୁଙ୍ଗି, କଳସ, ନଡ଼ିଆ, ଫଳମୂଳ ଓ ପୂଜା ସାମଗ୍ରୀର ବେପାର ବେଶ ଜମେ। ଅଟୋ, ଚାରିଚକିଆ, ଭ୍ୟାନ, ଟ୍ରକ ଓ ବସରେ ଶ୍ରାବଣ ମାସର ଶୁକ୍ରବାର ଠାରୁ ଆରମ୍ଭ କରି ସୋମବାର ପର୍ଯ୍ୟନ୍ତ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାରେ ନିଜର ଆଧିପତ୍ୟ ରଖିଥାନ୍ତି। ଏହାବ୍ୟତୀତ ଚାଲିଚାଲି ହଜାର ହଜାର ଭକ୍ତ ମନ୍ଦିରରେ ପହଞ୍ଚି ନିଜର ଜଳାଭିଷେକ କରିଥାନ୍ତି। ପରନ୍ତୁ ପ୍ରକୃତି ଆଗରେ ସମସ୍ତେ ନିରୁପାୟ। କୋରନା ଭୂତାଣୁ କୋଭିଡ଼-୧୯ର ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି।