ବାଲେଶ୍ୱର ଟାଉନ ଥାନା ଆଇଆଇସି ନିଖୋଜ

ବାଲେଶ୍ୱର: ବାଲେଶ୍ୱର ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ଗତ ୧ ତାରିଖଠାରୁ ଫୋନ୍ ଉଠାଉ ନାହାନ୍ତି। ଅନେକ ସମୟରେ ତାଙ୍କ ମୋବାଇଲ୍ ବନ୍ଦ ରହୁଛି। ଏହା କହିଛନ୍ତି ବାଲେଶ୍ୱର ଭିଜିଲାନ୍ସ ଏସ୍ପି। ତେବେ ଆଇଆଇସି ଏବେ କେଉଁଠି ତାହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା।
ଗତ ୧ ତାରିଖରେ ଏକ ଜମିଜମା ବିବାଦର ସମାଧନ ପାଇଁ ବାଲେଶ୍ୱର ଟାଉନ ଥାନା ସବ୍ ଇନ୍ସପେକ୍ଟର ବିମଳ କର ଜଣେ ଦଲାଲଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। ଏହି ଘଟଣାରେ ଉଭୟ ଗିରଫ ହୋଇ ଜେଲ୍ ଯାଇଛନ୍ତି। ତା’ପରଠୁ ଆଇଆଇସି ସରୋଜିନୀ ନାୟକଙ୍କ ସହିତ ଯୋଗାଯୋଗ କରିପାରୁ ନାହାନ୍ତି ଭିଜିଲାନ୍ସ ଅଧିକାରୀ। ଆଇଆଇସି ସରୋଜିନୀ ନାୟକଙ୍କୁ ବାଲେଶ୍ୱର ଏସ୍ପିଙ୍କ ମାଧ୍ୟମରେ ନୋଟିସ୍ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଏସ୍ପି। ଏନେଇ ବାଲେଶ୍ୱର ଏସ୍ପି କହିଛନ୍ତି ଯେ ସରୋଜିନୀଙ୍କ ସଂପର୍କରେ ତାଙ୍କ ପାଖରେ ସଠିକ୍ ତଥ୍ୟ ନାହିଁ। ଏନେଇ ସେ ରିପୋର୍ଟ ମାଗିଛନ୍ତି। ରିପୋର୍ଟ ପାଇବା ପରେ ସେ ଗଣମାଧ୍ୟମ ଆଗରେ ତଥ୍ୟ ରଖିବେ ବୋଲି କହିଛନ୍ତି।