ଭାରତକୁ ପ୍ରବେଶ ପାଇଁ ପାକ୍‌ ସୀମାରେ ୫୦ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଛି ପାକିସ୍ତାନ। ଭାରତରେ ବଡ଼ଧରଣର ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା କରୁଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ପାକିସ୍ତାନ ସେନା ପ୍ରଚେଷ୍ଟା ଚଳାଇଛି। ଏବେ ୫୦ରୁ ଅଧିକ ଆତଙ୍କବାଦୀ ଖାଚରବାନ ଲଞ୍ଚ ପ୍ୟାଡ୍‌ରେ ରହିଛନ୍ତି। ଏହି ଖବର ମିଳିବା ପରେ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷାକର୍ମୀଙ୍କୁ ହାଇଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୋମବାର ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା କୁଖ୍ୟାତ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ଦୁଇଜଣ ସଦସ୍ୟଙ୍କୁ ସୁରକ୍ଷାକର୍ମୀ ଧରିବାକୁ ସକ୍ଷମ ହୋଇଥିଲେ। ସେମାନେ ହେଲେ ଖଲୀଲ ଅହମ୍ମଦ ଓ ନଜିମ ଖୋଖାର। ଉଭୟ ପାକିସ୍ତାନୀ ନାଗରିକ। ସେମାନଙ୍କୁ ଜେରା ବେଳେ ଜଣାପଡିଛି ପାକିସ୍ତାନ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଛି। ଭାରତରେ ଅନୁପ୍ରେବଶ ପାଇଁ ପାକିସ୍ତାନ ସେନା ଯୋଗାଉଛି ସହାୟତା।

ଜେରା ବେଳେ ଉଭୟ କହିଛନ୍ତି ସେମାନଙ୍କୁ ପାକିସ୍ତାନର ସେନାର ବଡ଼ ଅଫିସରମାନେ ହିଁ ଭାରତରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ସାକ୍ଷାତ କରିଥିଲେ। ରାୱଲପିଣ୍ଡିରେ ଥିବା ପାକିସ୍ତାନ ସେନା ମୁଖ୍ୟାଳୟରେ ହିଁ ଏହି ସାକ୍ଷାତ ହୋଇଥିଲା। ଏହାପରେ ୭ ଜଣିଆ ଆତଙ୍କୀ ଗ୍ରୁପ୍‌ କଶ୍ମୀରରେ ଆକ୍ରମଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ୩ ଜଣ ଥିଲେ ଆଫଗାନିସ୍ତାନ ନାଗରିକ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିଥିଲେ। ଆହୁରି ଜଣାପଡିଛି ୩୬ ବର୍ଷୀୟ ଖଲୀଲର ଘର ରାୱଲପିଣ୍ଡି ଓ ୨୫ ବର୍ଷୀୟ ନଜିମ ରହୁଥିଲା କ୍ୱେଟାରେ। ଦୁଇଜଣଙ୍କୁ ଖାଚରବାନ ଓ କୋଟଲିରେ ଥିବା ଲସ୍କର ଟ୍ରେନିଂ କ୍ୟାମ୍ପରେ ହିଁ ହମ୍‌ଲା ପାଇଁ ତାଲିମ ଦିଆଯାଇଥିଲା। ଦୁହେଁ ପାକିସ୍ତାନ ସେନାର ଝୋଲି, ବାରଗି ଓ ନ୍ୟୁ ବାଟଲା ପୋଷ୍ଟ ମାଧ୍ୟମରେ ଭାରତରେ ଅନୁପ୍ରବେଶ କରିଥିଲେ। ନୁର ନାମକ ଏକ ଗାଇଡ୍‌ କରିଥିଲେ ସହଯୋଗ।

ମତାମତ ଦିଅନ୍ତୁ ।