ନୟାଗଡ: ସଦାସର୍ବଦା ଚର୍ଚ୍ଚାରେ ରହିଆସିଥିବା ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଭିଡିଓ କଲିଂ ମାଧ୍ୟମରେ ନୟାଗଡ଼ ନିର୍ବାଚନମଣ୍ଡଳୀର ବହୁ ଜନସାଧାରଣଙ୍କ ସହିତ ସଂଶ୍ଳିଷ୍ଟ ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ।
ମୁଖ୍ୟତଃ କରୋନା ସମୟରେ ରାଜନୈତିକ କାର୍ଯ୍ୟ ବନ୍ଦ ରହିଥିବାରୁ ଆଜି ସେ ଯୁବ, ଛାତ୍ର, ମହିଳା, ଶ୍ରମିକ ଓ ବିଭିନ୍ନ ସଂଗଠନର ନେତୃମଣ୍ଡଳୀଙ୍କ ସହିତ ଭିଡିଓ କନ୍ଫରେନ୍ସି ମାଧ୍ୟମରେ ଆଲୋଚନା କରିଛନ୍ତି । କରୋନା ସମୟରେ ଜୀବନ ଓ ଜୀବିକା ସହିତ କିପରି ଲଢିବା ଓ ରାଜନୈତିକ କାର୍ଯ୍ୟ ଅନ୍ଲାଇନ୍ ମାଧ୍ୟମରେ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର କୃଷି କ୍ଷେତ୍ରକୁ ଅଗ୍ରାଧିକାର ଦେଇଛନ୍ତି। କୃଷିକ୍ଷେତ୍ର ପ୍ରତି କୌଣସି କରୋନା କଟକଣା ନଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।
ଅନ୍ୟପକ୍ଷରେ କରୋନା ସମସ୍ତଙ୍କୁ କିଛି ଶିକ୍ଷା ଦେଇଛି। ଆଗାମୀ ଦିନରେ ଏହି ଭିଡିଓ କଲିଂ ମାଧ୍ୟମରେ ସମସ୍ତ ରାଜନୈତିକ କାର୍ଯ୍ୟ ଚାଲୁରହିବ। ମୁଖ୍ୟତଃ ସମୟର ବ୍ୟବହାର, ସଂଗଠନକୁ ସୁଦୃଢ଼ କରିବା, ନୂଆ ଯୁବକମାନଙ୍କୁ ରାଜନୈତିକ କ୍ଷେତ୍ରରେ ପ୍ରବେଶ କରାଇବାକୁ ପରାମର୍ଶ ଦେବା ଓ ସେମାନଙ୍କ ସହିତ ଜଡିତ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଅନ୍ଲାଇନ୍ ମାଧ୍ୟମରେ ପ୍ରତ୍ୟେକ ଦିନ ସମସ୍ତ ସଂଗଠନ ସହିତ ସୁସମ୍ପର୍କ ରଖି କିପରି ବିଜୁ ଜନତା ଦଳ ସୁଦୃଢ଼ ହେବ ସେ ନେଇ ପରାମର୍ଶ ଦେଇଛନ୍ତି । ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ସମସ୍ତଙ୍କୁ ସଚେତନତା କରାଇବା ପ୍ରତ୍ୟେକ ରାଜାନୈତିକ ବ୍ୟକ୍ତିଙ୍କର ମୁଖ୍ୟ କର୍ତ୍ତବ୍ୟ ହୋଇ ରହୁ।
ସମାଜସେବାରେ ସ୍ୱେଚ୍ଛାସେବୀ ଭାବେ ଠିଆହେବା ନିତାନ୍ତ ଆବଶ୍ୟକ। କରୋନା ଯୋଦ୍ଧାରେ ରାଜନୈତିକ ବ୍ୟକ୍ତିମାନଙ୍କର ସଂଶ୍ଳିଷ୍ଟ ଅଧିକ ରହିଛି। ତେଣୁ ସମସ୍ତେ ସମାଜସେବାରେ ବ୍ରତି ହେବା ପାଇଁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଡ. ସାହୁ ଆଜି ନିଜ ବାସଭବନରୁ ଭିଡିଓ କଲିଂ ମାଧ୍ୟମରେ ନୟାଗଡ଼ ନିର୍ବାଚନମଣ୍ଡଳୀର ସମସ୍ତ ବର୍ଗର ଲୋକଙ୍କ ସହିତ ଜଡ଼ିତ ରହି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।