ଭୁବନେଶ୍ୱରରୁ ୨୫ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଆଜି ୨୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୩ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ୨ ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ଵର ମହା ନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ରବିବାର ବିଏମସିର ତଥ୍ୟ ଅନୁଯାୟୀ ୨୩ଟି ସ୍ଥାନୀୟ ମାମଲା ମଧ୍ୟରେ ମଞ୍ଚେଶ୍ୱର ପ୍ରତିଦିନ ଅଫିସ ଅଞ୍ଚଳରୁ ୫ଜଣ ପୁରୁଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ବୟସ ଯଥାକ୍ରମେ ୨୨ବର୍ଷ, ୨୬ବର୍ଷ, ୨୮ବର୍ଷ, ୪୫ବର୍ଷ ଓ ୨୩ବର୍ଷ। ଏହି ୫ଜଣ ନିକଟରେ ଜଣେ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଏଥିସହ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ମଞ୍ଚେଶ୍ୱର ହାଇସ୍କୁଲ ନିକଟସ୍ଥ ଚକେଇସିଆଣି ଅଞ୍ଚଳରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚକେଇସିଆଣି ହାଡବାଇ ବସ୍ତି ଅଞ୍ଚଳରୁ ଦୁଇଟି କରୋନା ମାମଲା ସାମ୍ନାକୁ ଆସିଛି। ସେହିପରି ସାମନ୍ତରାପୁର ନୂଆଗାଁ ପେଟ୍ରୋଲ ପମ୍ପ ଅଞ୍ଚଳରୁ ଦୁଇଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ କ୍ୱାରେଣ୍ଟିନ୍‌ ସେଣ୍ଟରର ସେବା ଯୋଗାଣକାରୀ ରହିଛନ୍ତି।

ସେହିପରି ପାର୍ସପୋର୍ଟ ଅଫିସ୍‌ ବାଲିତୋଟାସାହି ବସ୍ତି ଅଞ୍ଚଳରୁ ୪ଜଣ ମହିଳା, ଶିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳରୁ ଜଣେ ଓ ଘରୋଇ ହସ୍‌ପିଟାଲ୍‌ର ଦୁଇଜଣ ମହିଳା କର୍ମଚାରୀ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଅଶୋକ ନଗର ଜନପଥ ଟାଓ୍ଵାର ଅଞ୍ଚଳରୁ ଜଣେ, ନୀଳାଦ୍ରିବିହାର ବୁଦ୍ଧ ପାର୍କ ଅଞ୍ଚଳରୁ ଜଣେ, ସରକାରୀ ହସ୍‌ପିଟାଲ୍‌ର ଜଣେ କର୍ମଚାରୀ, ଏମ୍‌-୩ ମାର୍କେଟ ନୟାପଲ୍ଲୀ ଅଞ୍ଚଳରୁ ଜଣେ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ମହିଳା ଆକ୍ରାନ୍ତ ଜଣକ ଏକ ଘରୋଇ ହସ୍‌ପିଟାଲ୍‌ର କର୍ମଚାରୀ। ହୋମ କ୍ୱାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ଦୁଇଜଣଙ୍କ ମଧ୍ୟରୁ ଜଣେ ମହିଳା କରୋନା ଆକ୍ରାନ୍ତ ରହିଛନ୍ତି। ଏହି ଆକ୍ରାନ୍ତ ଜଣକ କିଛିଦିନ ତଳେ କୋଲକାତାରୁ ଫେରିଥିଲେ। ସେ ଏକ ଘରୋଇ ହସ୍‌ପିଟାଲ୍‌ର କର୍ମଚାରୀ। ଅନ୍ୟ ଜଣେ ଆକ୍ରାନ୍ତ ରେଳବାଇ କର୍ମଚାରୀ। ସେ କିଛିଦିନ ତଳେ ଦିଲ୍ଲୀରୁ ଫେରିଥିଲେ। ଅନ୍ୟପକ୍ଷରେ ରାଜଧାନୀର ଘରୋଇ ହସ୍‌ପିଟାଲ୍‌ରେ କାମ କରୁଥିବା ୫ଜଣ କରୋନା ଆକ୍ରାନ୍ତଙ୍କ ସମେତ ଜଣେ ପୁରୁଷ ରେଳକର୍ମଚାରୀ ଓ ଭିଏସ୍‌ଏସ୍‌ ନଗରର ୫୫ ବର୍ଷୀୟ ବ୍ୟକ୍ତି ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।