ମହିଳାଙ୍କ ସୁରକ୍ଷା ପାଇଁ ଡ୍ୟାନ୍ସ ବାର ଲାଇସେନ୍ସ ପ୍ରତ୍ୟାହାର କରାଯାଉ:ବିଜେପି

ଭୁବନେଶ୍ୱର : ରାଜ୍ୟସରକାରଙ୍କ ଅବକାରୀ ବିଭାଗ ଭୁବନେଶ୍ୱରରେ ୭ଟି ବାରଡ୍ୟାନ୍ସ ଖୋଲିବାକୁ ଦେଇଥିବା ଅନୁମତି ନିନ୍ଦନୀୟ ଘଟଣା। ପୂର୍ବରୁ ଅନେକ ଡ୍ୟାନ୍ସବାରରେ ବାରଗାର୍ଲମାନଙ୍କ ସହ ଅଶାଳୀନ ବ୍ୟବହାର ଓ ବେଆଇନ କାର୍ଯ୍ୟକଳାପ ପୋଲିସର ନଜରକୁ ଆସିଥିଲା। ସେଥିପାଇଁ ଏଗୁଡିକୁ ବନ୍ଦ କରାଯାଊ ବୋଲି ବିଜେପି ଦାବି କରିଛି।

ବୁଧବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଓଡିଶା ସଂସ୍କୃତି, ପରଂପରା ଓ ଐତିହ୍ୟରେ କେଉଁଠି ଡ୍ୟାନ୍ସବାରର ପରିକଳ୍ପନା ହୋଇନାହିଁ। ଓଡିଆ ସଂସ୍କୃତିରେ ମହିଳାମାନଙ୍କୁ ସର୍ବୋଚ୍ଚ ସ୍ଥାନରେ ରଖାଯାଇଥାଏ। କିନ୍ତୁ ଏଠି ମହିଳାଙ୍କ ପ୍ରତି ହୀନମାନସିକତା ରଖି ରାଜ୍ୟ ସରକାର ଡ୍ୟାନ୍ସବାର ଖୋଲିବାର ଅନୁମତି ଦେଇଛନ୍ତି। ମହିଳାମାନଙ୍କର ଆର୍ଥୀକ ଦୁରବସ୍ଥାର ଫାଇଦା ନେଇ ବାର ମାଲିକମାନେ ମଦୁଆଙ୍କ ବୋତଲରେ ମଦ ଢାଲିବା ଓ ତାଙ୍କ ସହ ଅଶ୍ଲୀଳ ନୃତ୍ୟ କରିବାକୁ ନିର୍ଦ୍ଦେଶ ଦେଇଥାନ୍ତି। ବାରଗାର୍ଲମାନଙ୍କୁ ମଦୁଆମାନେ ଉପଭୋଗର ବସ୍ତୁ ଭାବି ବ୍ୟବହାର କରିଥାନ୍ତି। ଏହା ଦ୍ୱାରା ସମଗ୍ର ମହିଳା ସମାଜ ଆଜି ଅପମାନିତ ଓ ଅସମ୍ମାନିତ ହୋଇଛି।

ସେ କହିଲେ ଡ୍ୟାନ୍ସବାରରେ ବିଭିନ୍ନ ସମୟରେ ଅପରାଧିକ କାର୍ଯ୍ୟକଳାପ ହୋଇଥାଏ। ପୂର୍ବରୁ ଡ୍ୟାନ୍ସ ବାରରେ ଅନେକ ଅପରାଧୀ ମଉଜ କରିବାକୁ ଯାଇ ଯୁବତୀ ଚାଲାଣ, ଡ୍ରଗ୍ସ କାରବାର ଆଦି ବେଆଇନ କାର୍ଯ୍ୟ କରୁଥିବାର ପ୍ରମାଣ ରହିଛି। ତେଣୁ ମହିଳାଙ୍କ ସୁରକ୍ଷା ପାଇଁ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଓ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।