ମାଉଣ୍ଟ ଏଲବୃସ୍‌ ଶିଖରରେ ଓଡ଼ିଆ ଝିଅ!

ଭୁବନେଶ୍ୱର: ବରଗଡ଼ ଜିଲା ଡାଲବ ଗ୍ରାମର ଝିଅ  ଲିପିକା ସେଠ ୟୁରୋପ ମହାଦେଶର ତଥା ରଷିଆର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବୃସ୍‌କୁ  (5.642 mtr/18, 510 ft)କୁ ସଫଳତାର ସହ ଆରାହଣ କରିଛନ୍ତି। ନିଜର ଏହି ସଫଳତା ଯୋଗୁ ସେ ବରଗଡ଼ ଜିଲା ତଥା ସମଗ୍ର ରାଜ୍ୟ ପାଇଁ ଇତିହାସ ରଚିଛନ୍ତି। ସମଗ୍ର ରାଜ୍ୟକୁ ଗୌରବାନ୍ୱିତ କରିବା ସହ ପର୍ବତାରୋହଣ ପରି କଠିନ କାମରେ ମଧ୍ୟ ପୁରୁଷଙ୍କଠାରୁ ନାରୀ କିଛି କମ୍‌ ନୁହେଁ ବୋଲି ପ୍ରମାଣିତ କରିଛନ୍ତି।

ପିତା ଲକ୍ଷ୍ମଣ ସେଠ୍‌ ଓ ମାତା ଅନସୂୟା ସେଠଙ୍କ  ଦ୍ୱିତୀୟ କନ୍ୟା ଲିପିକା ଓଡ଼ିଶାର ଜଣେ ଉଦୀୟମାନ ପର୍ବତାରୋହୀ ।  ତାଙ୍କର ମାଉଣ୍ଟ ଏଲବୃସ୍‌ ଆରୋହଣ ସେପ୍ଟେମ୍ବର ୨୮ତାରିଖରେ ଆରମ୍ଭ ହୋଇ ଚଳିତ ମାସ ୮ ତାରିଖରେ ଶେଷ ହୋଇଛି । ଏହି ଅଭିଯାନରେ ଭିନ୍ନ ଭିନ୍ନ ଦେଶର ବହୁ ପର୍ବତାରୋହୀ ଭାଗ ନେଇଥିଲେ। ପର୍ଯ୍ୟାୟକ୍ରମେ ଲିପିକା ସେଠାକାର ପରିବେଶ ଓ  ବେସ୍‌ କ୍ୟାମ୍ପ ସହ ଖାପ ଖୁଆଇ ସାରିବା ପରେ ଗତ ୫ ତାରିଖ ସକାଳୁ ଆଡ଼ଭାନ୍ସ ବେସ୍‌ କ୍ୟାମ୍ପ ଛାଡ଼ି ଅନ୍ତିମ ଆହୋରଣ ପାଇଁ ବାହାରିଥିଲେ ।

ଲିପିକି ମାଉଣ୍ଟ ଏଲବୃସ୍‌ ଶୀର୍ଷରେ ପହଞ୍ଚି ଜାତୀୟ ସଙ୍ଗୀତ ଜନଗଣ ମନ ଅଧି…ଗାନ କରିଥିଲେ। ଏଥିସହିତ ଜୟ ମା’ ସନ୍ତୋଷୀ, ଜୟ ମା’ ସମଲେଶ୍ୱରୀ କହିବା ପରେ ଜାତୀୟ ପତାକା ଗର୍ବର ସହ ଉଡ଼ାଇଥିଲେ। ପର୍ବତାରୋହୀ ନୃସିଂହ ସାହୁଙ୍କ ତତ୍ତ୍ୱାବଧାନରେ  ଲିପିକା ଏଲବୃସ୍‌ ଆହୋରଣ କରିଥିଲେ। ଏଥିନିମନ୍ତେ ସେ ସମସ୍ତ ଆବଶ୍ୟକ କୌଶଳ ଯୋଗାଇବା ସହ ମନୋବଳ ବଢାଇଥିଲେ।

ନୃସିଂହଙ୍କ କହିବା ଅନୁସାରେ, ଆଡ଼ଭାନ୍ସ ବେସ୍‌ କ୍ୟାମ୍ପରେ ପହଞ୍ଚିବା ପରେ ଏବଂ ଆକ୍ଲାମାଇଟେଜେସନ ପ୍ରୋସେସରୁ ଫେରିବା ପରେ ଲିପିକାଙ୍କ ମନ୍ଥର ଚାଲିକୁ ନେଇ ତାଙ୍କ ଗାଇଡ ଜଣାଇଥିଲେ। ତାଙ୍କ ଶିଖର ବିପଦ ବୋଲି ସେ ଦର୍ଶାଇଥିଲେ। କିନ୍ତୁ ୫ ତାରିଖ ସକାଳେ ଆରୋହଣ ସମୟରେ ଲିପିକା ତାଙ୍କର ସମସ୍ତ ସହଯୋଗୀଙ୍କୁ ପଛରେ ପକାଇ ୧ ଘଣ୍ଟା ଆଗରୁ ଶୀଖରରେ ପହଂଚି ଆଡଭାନ୍ସ ବେସ୍‌କ୍ୟାମ୍ପକୁ ଫେରିଥିଲେ।  ଏହା କେବଳ ଜଣେ ଦୃଢ଼ ମନୋବଳ ଥିବା ପର୍ବତାରୋହୀ ପାଖରେ ସମ୍ଭବ ବୋଲି ନୃସିଂହ ସୂଚନା ଦେଇଛନ୍ତି। ଲିପିକା ଆସନ୍ତାକାଲି ସକାଳ ୧୧ଟା୧୦ ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ।

ସେ ପୂର୍ବରୁ ୨୦୧୮ ମସିହାରେ  ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ କିଲି ମାଂଜାରୋକୁ  (୫,୮୯୫mtr) ସଫଳତାର ସହ ଆରୋହଣ କରିଥିଲେ। ଚଳିତ ବର୍ଷ ମାଉଣ୍ଟ ଏଲବୃସ୍‌ ଆରୋହଣ କରିବା ପାଇଁ ଲିପିକାଙ୍କୁ ବରଗଡ଼ ଜିଲ୍ଲାର ବିକାଶ ଇନଷ୍ଟିଚ୍ୟୁଟ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ। ଏସିଆ ପାସିଫିକ୍‌ ହାବିଟାଟ ସୋସାଇଟ(APHS) ଓଡ଼ିଶାର ସେକ୍ରେଟାରୀ ଜେନେରାଲ ଡ. ଉଲିୟମ ହେନେଜ କିଛି ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

ମତାମତ ଦିଅନ୍ତୁ ।