ମା’ଙ୍କ ପାଇଁ ଝିଅ ଖୋଜୁଛି ବରପାତ୍ର

ଆମ ସମାଜରେ ମା’-ବାପାମାନେ ନିଜର ପୁଅ-ଝିଅଙ୍କ ପାଇଁ ବର-କନ୍ୟା ଖୋଜନ୍ତି। କିନ୍ତୁ ଜଣେ ଝିଅ ତା’ର ମା’ ପାଇଁ ବରପାତ୍ର ଖୋଜିବା କଥା ଟିକେ ଅଡୁଆ ଲାଗିପାରେ। କିନ୍ତୁ ଏହା ମିଥ୍ୟା ନୁହେଁ। ଏପରି ଏକ ଘଟଣା ନଜରକୁ ଆସିଛି। ଯେଉଁଠି ଜଣେ ଝିଅ ନିଜର ୫୦ବର୍ଷୀୟା ମା’ଙ୍କ ପାଇଁ ବରପାତ୍ର ଖୋଜୁଥିବା ଟୁଇଟରରେ ଭାଇରାଲ ହୋଇଛି।

ମା’ଙ୍କ ପାଇଁ ବରପାତ୍ର ଖୋଜୁଥିବା ଆଇନଛାତ୍ରୀ ଆସ୍ଥା ମା’ଙ୍କ ସହ ସେଲ୍‌ଫି ନେଇ ସେୟାର କରିଥିବା ବେଳେ ମା’ଙ୍କ ପାଇଁ ଏକ ସୁନ୍ଦର ବର ଖୋଜୁଥିବା କଥା ଲେଖିଛନ୍ତି। ଆଉ ରଖିଛନ୍ତି କିଛି ସର୍ତ୍ତ। ସେ ଚାହାନ୍ତି ତାଙ୍କ ବାପା ଶାକାହାରୀ ଓ ସମ୍ଭ୍ରାନ୍ତ ପରିବାରର ହୋଇଥିବେ। ମଦ କିମ୍ବା ଅନ୍ୟ କୌଣସି ଖରାପ ଅଭ୍ୟାସ ତାଙ୍କର ନଥିବ। ଟୁଇଟର ପୃଷ୍ଠାରେ ଆସ୍ଥା ଏଭଳି କଥା ଲେଖି ମା’ଙ୍କ ସହ ନିଜର ଏକ ଫଟୋ ଶେୟାର କରିଥିବାରୁ ଅନେକେ ଏହାକୁ ପ୍ରଶଂସା କରୁଛନ୍ତି।

ଆସ୍ଥା ଏନେଇ ୩୧ ଅକ୍ଟୋବର ରାତି ୮ଟାରେ ଏକ ଟୁଇଟ କରିଥିଲେ। ଏହାର କିଛି ସମୟ ପରେ ପୋଷ୍ଟଟି ଭାଇରାଲ ହୋଇଥିଲା। ଇତିମଧ୍ୟରେ ଏହାକୁ ୨୭ହଜାରରୁ ଅଧିକ ଲାଇକ୍‌ ଓ ୫୩ ଶହରୁ ଅଧିକ ଲୋକେ ଏଥିରେ ନିଜର ମତ ରଖିଛନ୍ତି। କେହି କେହି ତାଙ୍କୁ ବିବାହ ପାଇଁ ପଞ୍ଜିକୃତ ଥିବା ସାଇଟ୍‌ରେ ଚେଷ୍ଟା କରିବା ଲାଗି କହିଛନ୍ତି। ଏହାର ଜବାବ ଦେଇ ଆସ୍ଥା ଲେଖିଛନ୍ତି, ଚେଷ୍ଟା କରି ବିଫଳ ହୋଇସାରିଛି। ଏହାପରେ ତାଙ୍କ ମା’ଙ୍କୁ ଖୁବ୍‌ଶୀଘ୍ର ଜୀବନସାଥୀ ମିଳିଯିବ ବୋଲି ଆଶା କରୁଥିବା ସମସ୍ତେ ପ୍ରକାଶ କରୁଛନ୍ତି।

ମତାମତ ଦିଅନ୍ତୁ ।