ରାତିରେ ଆତଙ୍କବାଦ, ଦିନରେ କ୍ରିକେଟ୍ ସମ୍ଭବ ନୁହେଁ : ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ : ପାକିସ୍ତାନ ସହ ଆଲୋଚନା ସମ୍ଭାବନାକୁ ଖାରଜ କରି ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ଯେ ପାକିସ୍ତାନ ଏମିତି ଏକ ପଡ଼ୋଶୀ ଯିଏ ଆତଙ୍କବାଦକୁ ନିଜର ବୈଦେଶିକ ନୀତି ରୂପେ ବ୍ୟବହାର କରେ। ପାକିସ୍ତାନ ସହିତ ଦ୍ଵିପାକ୍ଷିକ କ୍ରିକେଟକୁ ନେଇ ମହତ୍ଵପୂର୍ଣ୍ଣ ଟିପ୍ପଣୀ କରି ଜୟଶଙ୍କର କହିଛନ୍ତି ଯେ ଜନତାଙ୍କ ରାୟ ମହତ୍ଵପୂର୍ଣ୍ଣ ହୋଇଥାଏ ଓ ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ। ସେ କହିଛନ୍ତି ଯେ କୌଣସି ଗଣତନ୍ତ୍ରରେ ଜନଭାବନାର ମହତ୍ଵ ରହିଥାଏ। ମୁଁ ଗୋଟିଏ ସନ୍ଦେଶ ଦେବାକୁ ଚାହୁଁନାହିଁ ଯେ ଆପଣ ରାତିରେ ଆତଙ୍କବାଦ କରୁଛନ୍ତି ଏବଂ ଦିନରେ ସ୍ଵାଭାବିକ ଜୀବନଯାପନ ଅତିବାହିତ କରୁଛନ୍ତି। ରାତିରେ ଆତଙ୍କବାଦ ଓ ଦିନରେ କ୍ରିକେଟ୍ ଖେଳ ହୋଇ ପାରିବ ନାହିଁ। ତେଣୁ ଆମେ ପାକିସ୍ତାନ ସହିତ କ୍ରିକେଟ୍ ଖେଳିବାକୁ ଅନୁମତି ଦେଇ ପାରିବୁ ନାହିଁ।

ସେ କହିଛନ୍ତି, ପାକିସ୍ତାନ ସର୍ବଦା ଆଲୋଚନା ପାଇଁ ଭାରତ ଉପରେ ଚାପ ପକାଇବାକୁ ଆତଙ୍କବାଦକୁ ଏକ ଟୁଲ ରୂପେ ବ୍ୟବହାର କରୁଛି। ବୁଧବାର ଏକ ଥିଙ୍କ ଟ୍ୟାଙ୍କର କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜୟଶଙ୍କର  କାଶ୍ମୀର ଓ ନୂଆଦିଲ୍ଲୀର ଇସଲାମାବାଦ ସହିତ ସମ୍ବନ୍ଧଙ୍କୁ ନେଇ ହୋଇଥିବା ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ସେ କହିଛନ୍ତି, ପାକିସ୍ତାନ ସହିତ କାଶ୍ମୀର ଏକ ମହତ୍ଵପୂର୍ଣ୍ଣ ପ୍ରସଙ୍ଗ ନୁହଁ। ଭାରତ ଓ ପାକିସ୍ତାନ ମଧ୍ୟରେ ସମସ୍ତ ପ୍ରସଙ୍ଗ ମଧ୍ୟରୁ କାଶ୍ମୀର ମଧ୍ୟ ଏକ ସେହିଭଳି ପ୍ରସଙ୍ଗ ବୋଲି  ଜୟଶଙ୍କର କହିଛନ୍ତି।

ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଭାରତ ପାଇଁ ପାକିସ୍ତାନ ସହିତ ଆଲୋଚନା କରିବା କୌଣସି ପ୍ରସଙ୍ଗ ନୁହଁ, ମାତ୍ର ଏମିତି ଏକ ଦେଶ ସହିତ କେମିତି ଆଲୋଚନା ହୋଇ ପାରିବ ଯିଏ ଆତଙ୍କବାଦର ଭରଣ ପୋଷଣ କରୁଛି। ନିଶ୍ଚିତ ରୂପେ ପ୍ରତ୍ୟେକ ଦେଶ ନିଜ ପଡ଼ୋଶୀ ସହ କଥା ହେବାକୁ ଚାହେଁ। ପ୍ରସଙ୍ଗ ଏହା ଯେ ଆମେ ଏମିତି ଏକ ପଡ଼ୋଶୀ ସହିତ  କେମିତି ଆଲୋଚନା କରିବୁ ଯିଏ ଆତଙ୍କବାଦକୁ ପ୍ରଶୟ ଦେଉଛି ଏବଂ ଆତଙ୍କକୁ ଏକ ନୀତି କରୁଥିଲେ ବି ମାନିବାକୁ ପ୍ରସ୍ତୁତ ନୁହଁ। ସେମାନେ ଜାଣିଛନ୍ତି ଯେ ଲୋକ ଦେଖାଣିଆକୁ କେହି ଗୁରୁତର ଭାବେ ନିଅନ୍ତି ନାହିଁ ତଥାପି ପାକିସ୍ତାନ ଲୋକ ଦେଖାଣିଆ ଆତଙ୍କବାଦ ଉପରେ କାର୍ଯ୍ୟାନୁଷ୍ଠାନ କରୁଛି। ଏବେ ଆପଣ ଏଥିରୁ କଣ ଉପାୟ ବାହାର କରିବେ, ମୋତେ ଲାଗୁଛି ଯେ ଏହି ପଡ଼ୋଶୀ ଆମ ପାଇଁ ଏକ ଚ୍ୟାଲେଞ୍ଜ।

ମତାମତ ଦିଅନ୍ତୁ ।