ରାୟକୁ ସୁନ୍ନି ଓ୍ଵାକଫ ବୋର୍ଡର ସ୍ଵାଗତ, ପୁନର୍ବିଚାର ଯାଚିକା ଦାୟର କରିବନି

ନୂଆଦିଲ୍ଲୀ : ୭୦ ବର୍ଷର କାନୁନ ଲଢ଼େଇ ଓ ୪୦ ଦିନ ମାରଥନ ଶୁଣାଣି ପରେ ଆଜି ଅଯୋଧ୍ୟା ବିବାଦର ରାୟ ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ କୋର୍ଟ। ରାୟ ଆସିବା ପରେ ରାମଜନ୍ମ ଭୂମି-ବାବ୍ରି ମସଜିଦ ବିବାଦର ପକ୍ଷ ସୁନ୍ନି ଓ୍ଵାକଫ ବୋର୍ଡ ରାୟକୁ ସ୍ଵାଗତ କରିଛି। ବୋର୍ଡର ଅଧ୍ୟକ୍ଷ ଜୁଫର ଫାରୁକି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟର ନିର୍ଣ୍ଣୟକୁ ଆମେ ସ୍ଵାଗତ କରୁଛୁ। ବୋର୍ଡ ଏହି ରାୟକୁ ଚ୍ୟାଲେଞ୍ଜ କରି ପୁନର୍ବିଚାର ଯାଚିକା ଦାୟର କରିବ ନାହିଁ।

ଫାରୁକି କହିଛନ୍ତି ବୋର୍ଡର ସଦସ୍ୟଙ୍କ ସହିତ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ଯେ ୫ ଏକର ଜମି ଗ୍ରହଣ କରାଯିବ ନା ନାହିଁ। ଆମ ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମାନ୍ୟ ଅଟେ। ରାୟ ପୂର୍ବରୁ ସବୁ ପକ୍ଷ କହିଥିଲେ ଯେ, ଯାହା ବି ରାୟ ଆସିବ ଆମେ ତାକୁ ସ୍ଵୀକାର କରିବୁ। ତେଣୁ ଏବେ ଯଦି କୌଣସି ପୁନର୍ବିଚାର ଯାଚିକା ଦାୟର କରାଯାଏ ତେବେ ଏହା ଭୁଲ ହେବ।

ସିଆ ଧର୍ମଗୁରୁ ମୌଲାନା କଲଭେ ଜଓ୍ଵାଦ ମଧ୍ୟ ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ସ୍ଵାଗତ କରିଛନ୍ତି। ସେ କହିଛନ୍ତି ଯେ, ମୁଁ ବିନମ୍ରତାପୂର୍ବକ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ଵୀକାର କରୁଛି। ମୁଁ ଭଗବାନଙ୍କଠାରେ କୃତଜ୍ଞ ଯେ, ମୁସଲମାନ ସଂପ୍ରଦାୟର ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ରାୟକୁ ସ୍ଵାଗତ କରିଥିବାରୁ ବିବାଦ ସମାପ୍ତ ହୋଇଗଲା।

ମତାମତ ଦିଅନ୍ତୁ ।