ଲକ୍ଷଣ ବଦଳାଉଛି କରୋନା ଭାଇରସ୍

ନୂଆଦିଲ୍ଲୀ : କରୋନା ଭାଇରସ ଦିନକୁ ଦିନ ନିଜର ରୂପ ଓ ଲକ୍ଷଣ ବଦଳାଉଛି। ପୂର୍ବରୁ ଏହି ଭାଇରସ ରୋଗୀଙ୍କ ଶରୀରରେ ତାପମାତ୍ରା ବୃଦ୍ଧି, ନିଶ୍ୱାସ ନେବାରେ ସମସ୍ୟା ଓ କାଶ ଭଳି ଲକ୍ଷଣ ଦେଖା ଯାଉଥିଲା। ଏବେ କରୋନା ରୋଗୀଙ୍କ ଠାରେ ନୂଆ ଲକ୍ଷଣ ଦେଖିବାକୁ ମିଳିଲାଣି। କରୋନା ଭୂତାଣୁ ପୂର୍ବରୁ ଫୁସଫୁସକୁ ଆକ୍ରମଣ କରୁଥିବା ବେଳେ ଏବେ ପେଟକୁ ସଂକ୍ରମିତ କରୁଛି। ଯାହାଫଳରେ ରୋଗୀଙ୍କ ଠାରେ ଡାଇରିଆ, ବାନ୍ତି ଓ ମୁଣ୍ଡବିନ୍ଧାର ଲକ୍ଷଣ ଦେଖାଯାଉଛି।
ହାଇଦ୍ରାବାଦର ଚେଷ୍ଟ ଆଣ୍ଡ କିଙ୍ଗ କୋଟି ଡାକ୍ତରଖାନାର ଡାକ୍ତରମାନଙ୍କ ମତ ହେଲା ଡାଇରିଆ, ମୁଣ୍ଡବିନ୍ଧା ଓ ବାନ୍ତି ରୋଗର ନିରାକରଣ ଏବଂ ଚିକିତ୍ସା ପ୍ରକ୍ରିୟାରେ କରୋନା ବିଳମ୍ବ କରୁଛି। ଆଉ କେତେକଙ୍କ ମତ ହେଲା ନୋଭେଲ କରୋନା ଭାଇରସ ନିଜର ବଞ୍ଚିବାକୁ ନିଶ୍ଚିତ କରିବା ପାଇଁ ଋତୁ ଅନୁଯାୟୀ ଜେନୋମିକ୍ ଗଠନକୁ ପରିବର୍ତ୍ତନ କରୁଛି। ଭୂତାଣୁ ଏବେ ଆଗ ପରି ଫୁସଫୁସକୁ ଆକ୍ରମଣ ନକରି ବର୍ଷ ଋତୁ ଅନୁଯାୟୀ ପେଟକୁ ଆକ୍ରମଣ କରୁଛି। ଯାହାଦ୍ୱାରା କରୋନା ରୋଗୀଙ୍କ ମଧ୍ୟରେ ଡାଇରିଆ, ମୁଣ୍ଡବିନ୍ଧା ଓ ବାନ୍ତି ଭଳି ଲକ୍ଷଣ ଦେଖାଦେଉଛି। ଏଭଳି ଖବର ଏବେ ଲୋକଙ୍କ ଚିନ୍ତା ବଢ଼ାଇଲାଣି। କିଛି ଲୋକ ପେଟ ଖରାପକୁ କରୋନା ଲକ୍ଷଣ ବୋଲି ନଭାବି ମୃତ୍ୟୁମୁଖରେ ପଡୁଥିବା ସେମାନେ କହିଛନ୍ତି।