ସମାଜସେବାକୁ ଜୀବନର ବ୍ରତ କଲେ ବ୍ୟକ୍ତିତ୍ୱର ବିକାଶ ହୋଇ ପାରିବ: ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର : ସମାଜସେବା ନିମନ୍ତେ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ପ୍ରସ୍ତୁତ ହେବା ଆବଶ୍ୟକ। ଜଣେ ଯେ କୌଣସି ବୃତ୍ତିରେ ରହିଲେ ମଧ୍ୟ ସମାଜସେବାକୁ ଜୀବନର ବ୍ରତ କରି ପାରିଲେ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ହୋଇ ପାରିବ। ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ।
ଆଜି ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ସମ୍ମିଳନୀ କକ୍ଷରେ ଜାତୀୟ ସେବା ଯୋଜନାର ରାଜ୍ୟ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ କହିଲେ ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଜାତୀୟ ସେବା ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ପଦକ୍ଷେପ ନିଆଯିବ। ରାଜ୍ୟରେ ବର୍ତ୍ତମାନ ଜାତୀୟ ସେବା ଯୋଜନାରେ ୧ ଲକ୍ଷ ୧୫ ହଜାର ୫୦୦ ଜଣ ସ୍ଵେଚ୍ଛାସେବୀ ଥିବାବେଳେ ଚଳିତ ବର୍ଷ ୧୯,୫୦୦ ଅଧିକ ସ୍ଵେଚ୍ଛାସେବୀ ବୃଦ୍ଧି କରିବା ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ଏହି ବୈଠକରେ ବିଶିଷ୍ଟ ଗାନ୍ଧୀବାଦୀ ନେତା ଆଦିତ୍ୟ ପ୍ରସାଦ ପଟ୍ଟନାୟକ, ସମାଜ ରିଲିଫ୍‌ ପାଣ୍ଠିର ସଂପାଦକ ପ୍ରଭାସ ଆଚାର୍ଯ୍ୟ, ମଧୁସୂଦନ ଦାସ, ଓୟୁଏଟିର ପ୍ରଫେସର ବିକାଶ ପଣ୍ଡା ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ବ୍ୟତୀତ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମିଶ୍ର ଓ ଭାରତ ସରକାରଙ୍କ ଏନ୍‌ଏସ୍‌ଏସ୍‌ ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ୍‌ ପ୍ରମୁଖ ଯୋଗଦେଇଥିଲେ।

ମତାମତ ଦିଅନ୍ତୁ ।