ସମୁଦ୍ରରେ ଜଳସ୍ତର ବଢୁଛି, ଓଡ଼ିଶା ଉପକୂଳ ପ୍ରତି ବିପଦ

ଭୁବନେଶ୍ଵର : ଓଡିଶାର ସମୁଦ୍ର ଉପକୂଳ ସ୍ଥଳ ଭାଗକୁ ପାଣି ମାଡି ଆସିବ। ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହେବେ। ସମୁଦ୍ରରେ ଜଳସ୍ତର ବଢୁଥିବାରୁ ଏପରି ବିପଦ ସୃଷ୍ଟି ହୋଇପାରେ ବୋଲି ‘କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌’ର ସଦ୍ୟତମ ଅଧ୍ୟୟନରୁ ଜଣାପଡ଼ିଛି।

ନିୟୁ ଜର୍ସିସ୍ଥିତ ‘କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌’ ଦ୍ୱାରା ପ୍ରସ୍ତୁତ ଗବେଷଣା ରିପୋର୍ଟ ଅନୁସାରେ, ଗଞ୍ଜାମରୁ ବ୍ରହ୍ମପୁର ଯାଏଁ ସମଗ୍ର ଉପକୂଳବର୍ତ୍ତୀ ଅଞ୍ଚଳ ୨୦୫୦ ସୁଦ୍ଧା ହେବାକୁ ଥିବା ଜଳପ୍ଳାବନରେ କ୍ଷତିଗ୍ରସ୍ତ ହେବ। ମାତ୍ର ୩୦ ବର୍ଷ ଭିତରେ ସମୁଦ୍ର ପତ୍ତନ ବୃଦ୍ଧି ଗଞ୍ଜାମ, ପୁରୀ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲା ଅନ୍ତର୍ଗତ ଉପକୂଳ ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।

‘କ୍ଲାଇମେଟ୍‌ ସେଣ୍ଟ୍ରାଲ୍‌’ ଦ୍ୱାରା ପ୍ରସ୍ତତ ପ୍ରୋଜେକ୍‌ସନ୍‌ ମ୍ୟାପ୍‌ରେ ଦେଖାଯାଉଛି ଯେ ଆଗାମୀ ତିନି ଦଶନ୍ଧି ମଧ୍ୟରେ ୨ ରୁ ୭ ଫୁଟ୍‌ ଯାଏଁ ସମୁଦ୍ର ଜଳସ୍ତର ବୃଦ୍ଧି ପାଇବ। ଫଳରେ ଭିତରକନିକା ଜାତୀୟ ଉଦ୍ୟାନ, ବାଲୁଖଣ୍ଡ-କୋଣାର୍କ ବନ୍ୟଜନ୍ତୁ ସଂରକ୍ଷଣ, ଚନ୍ଦ୍ରଭାଗା ବେଳାଭୂମି ଓ ଚିଲିକା ଚତୁଃପାର୍ଶ୍ୱସ୍ଥ ଅଞ୍ଚଳ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଉପକୂଳୀୟ ଜୈବପ୍ରଣାଳୀ ବୁଡ଼ିଜୀବ କିମ୍ବା ସବୁଦିନ ପାଇଁ ଜଳମଗ୍ନ ହୋଇ ରହିପାରେ। ଗବେଷଣା ପତ୍ରରେ ଆହୁରି କୁହାଯାଇଛି ବିଶ୍ୱବ୍ୟାପୀ ପ୍ରାୟ ୧୫୦ ନିୟୁତ ଲୋକ ବାସ କରୁଥିବା ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ ହେବ।

ମତାମତ ଦିଅନ୍ତୁ ।