ସାଇକେଲ ମରାମତି ଦୋକାନ କରିଥିବା ସତ୍ୟପ୍ରକାଶ ଏବେ ବିଧାୟକ

ନୂଆଦିଲ୍ଲୀ : ସମୟ ବଡ ବଳବାନ। କେତେବେଳେ କାହାକୁ କେଉଁଠି ପହଞ୍ଚାଇବ ତାହା କେହି କଳନା କରିପାରିବେନି। ଭାଗ୍ୟ ସହାୟକ ହେଲେ ରତାରାତି ବଦଳିଯାଏ ସବୁ କିଛି। ଏହାର ଏକ ଉଦାହରଣ ଯାହା ହରିଆଣାର ସତ୍ୟପ୍ରକାଶ ଜରାଓ୍ୱତା। ସାଇକେଲ ମରାମତି ଦୋକାନିରୁ ସତ୍ୟପ୍ରକାଶ ବନିଛନ୍ତି ବିଧାୟକ। ହରିଆଣାର ପଟୌଦୀ ବିଧାନସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ପଟୌଦୀ ଅଞ୍ଚଳର ଲୋକରାର ଗ୍ରାମ ଅଧିବାସୀ ସତ୍ୟପ୍ରକାଶ ଜରାଓ୍ୱତା ନିଜର ପେଟପାଟଣା ପାଇଁ ପ୍ରଥମ ଖୋଲିଥିଲେ ସାଇକେଲ ମରାମତି ଦୋକାନ। ସାଇକେଲ ଟାୟାର ପଂକଚର ମାରିବା ଥିଲା ତାଙ୍କର କାର୍ଯ୍ୟ। ପରେ ଗୁରୁଗ୍ରାମ ଗ୍ରାମୀଣ ବ୍ୟାଙ୍କରେ ଏକ କିରାଣୀ ପଦରେ ନିଯୁକ୍ତ ହୋଇଥିଲେ। ସମୟକ୍ରମେ ପଦୋନ୍ନତି ପାଇ ହେଲେ ବ୍ୟାଙ୍କର ବରିଷ୍ଠ ଅଧିକାରୀ। ପୂର୍ବଟନ ଆଇଏଏସ ଅଧିକାରୀ ତଥା ଦଳିତ ନେତା ଉଦିତ ରାଜଙ୍କ ସଂଶ୍ପର୍ଶରେ ଆସିବାପରେ ତାଙ୍କ ଜୀବନର ମୋଡ଼ ବଦଳିଲା। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଉନ୍ନତି ନିମନ୍ତେ କାମ ଆରମ୍ଭ କଲେ ସତ୍ୟପ୍ରକାଶ।

ରାଜନୀତି ପାଇଁ ମନ ବଳାଇଲେ। କଂଗ୍ରେସର ବରିଷ୍ଠ ନେତା ରାଓ ଇନ୍ଦ୍ରଜିତ ସିଂହଙ୍କ ସମ୍ପର୍କରେ ଆସି ବିଧାନସଭା ନିର୍ବାଚନ ଲଢ଼ିବାର ସ୍ଵପ୍ନ ଦେଖିଲେ। ଚାକିରୀରୁ ଇସ୍ତଫା ଦେଇ ୨୦୦୯ ମସିହାରେ ସ୍ଵାଧୀନ ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢିଲେ ସତ୍ୟପ୍ରକାଶ। କିନ୍ତୁ ଭାଗ୍ୟ ସାଥ ଦେଲାନି। ପରାଜିତ ହେଲେ। ତା’ପରେ ଦଳ ବଦଳାଇ ବିଜେପିରେ ସାମିଲ ହୋଇ ୨୦୧୯ରେ ପଟୌଦୀ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି। ସଦ୍ୟ ପ୍ରକାଶିତ ଫଳ ଅନୁଯାୟୀ ସତ୍ୟପ୍ରକାଶ ଏବେ ପଟୌଦୀର ବିଧାୟକ। ଦୀର୍ଘ ୮ବର୍ଷର ରାଜନୈତିକ କ୍ୟାରିୟରରେ ତାଙ୍କୁ ମିଳିଛି ସଫଳତା।

ମତାମତ ଦିଅନ୍ତୁ ।