ସୀମାରେ ଯୁଦ୍ଧ ପରିସ୍ଥିତି : ଭାରତକୁ ଅସ୍ତ୍ର ଯୋଗାଇବେ ମିତ୍ର ଦେଶ

ନୂଆଦିଲ୍ଲୀ : ଲଦାଖ ଗଲୱାନ ଘାଟି ଅଞ୍ଚଳରେ ଜୁନ ୧୫ ତାରିଖ ରାତିରେ ଘଟିଥିବା ରକ୍ତାକ୍ତ ସଂଘର୍ଷରେ ଭାରତ-ଚୀନ ବିବାଦ ଚରମ ସ୍ଥିତିରେ ପହଞ୍ଚିଛି। ସୀମାରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଉଭୟ ଦେଶ ଲଦାଖ ସୀମାରେ ସେନା ଓ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛନ୍ତି। ଏହି ସମୟରେ ବନ୍ଧୁ ରାଷ୍ଟ୍ର ଗୁଡିକ ଭାରତର ଶକ୍ତି ବଢାଇବାକୁ କରୁଛନ୍ତି ପ୍ରୟାସ। ଫ୍ରାନ୍ସ ଆସନ୍ତା ମାସରେ ଏକ ରାଫେଲ ଯୁଦ୍ଧ ବିମାନ ଦେବାକୁ କହିଥିବା ବେଳେ ଇସ୍ରାଇଲ ଭାରତକୁ ଏୟାର ଡିଫେନ୍ସ ସିଷ୍ଟମ ଦେବ ବୋଲି ପ୍ରତିଶୃତି ଦେଇଛି। ସେହିପରି ତୋପରେ ବ୍ୟବହାର ହେଉଥିବା ଗୋଳାବାରୁଦ ଆମେରିକା ଠାରୁ ଖୁବ ଶୀଘ୍ର ପ୍ରାପ୍ତ ହେବ। ଋଷ ଦେବ ଅତ୍ୟାଧୁନିକ ଅସ୍ତ୍ର ଓ ଗୋଳାବାରୁଦ।

ପୂର୍ବ ଲଦାଖରେ ଚୀନ ସହିତ ଲାଗିଥିବା ବିବାଦ ଦିନକୁ ଦିନ ବଢୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେନାକୁ ଦେଇଛନ୍ତି ଆର୍ଥିକ ଅଧିକାର ଦେଇଛନ୍ତି। ଜୁଲାଇ ୨୭ ତାରିଖ ସୁଦ୍ଧା ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲର ପ୍ରଥମ ପର୍ଯ୍ୟାୟ ବିମାନର ଭାରତରେ ପହଞ୍ଚିବାର ଆଶା ରହିଛି। ସେଥିପାଇଁ ୪ ଭାରତୀୟ ପାଇଲଟଙ୍କୁ ଯୁଦ୍ଧ ବିମାନ ଉଡ଼ାଇବାକୁ ଟ୍ରେନିଙ୍ଗ ଦିଆଯାଇଛି। ଫ୍ରାନ୍ସ ଭାରତକୁ କହିଛି ରାଫେଲର ପ୍ରଥମ ପର୍ଯ୍ୟାୟ ସହିତ ୮ ଅତିରିକ୍ତ ରାଫେଲ ପଠାଇବ। ସମସ୍ତ ବିମାନ ଅମ୍ବଲା ଏୟାରବେଶକୁ ଆସିବ। ସୂତ୍ର ଅନୁଯାୟୀ ଫ୍ରାନ୍ସ ଏତେ ଇନ୍ଧନ ଭର୍ତ୍ତି କରିବ ରାଫେଲ ବିମାନ ସିଧା ସଳଖ ଭାରତ ଆସି ପହଞ୍ଚିବ।

ସେହିପରି କାର୍ଗିଲ ଯୁଦ୍ଧରେ ଭାରତକୁ ସାହାଯ୍ୟ କରିଥିବା ଇସ୍ରାଇଲ ଚୀନ ସହିତ ଯୁଦ୍ଧ ଭଳି ପରିସ୍ଥିତିକୁ ଦେଖି ଏୟାର ଡିଫେନ୍ସ ସିଷ୍ଟମ ଦେବାକୁ କହିଛି। ଏୟାର ଡିଫେନ୍ସ ସିଷ୍ଟମ ଖୁବ ଶୀଘ୍ର ସୀମାରେ ନିୟୋଜିତ ହେବ। ଚୀନ ନିଜ ସୀମାରେ S-400 ଏୟାର ଡିଫେନ୍ସ ସିଷ୍ଟମ ନିୟୋଜିତ କରିଥିବାରୁ ଏହାର ମୁକାବିଲା ପାଇଁ ଭାରତ ଇସ୍ରାଇଲକୁ ଏୟାର ଡିଫେନ୍ସ ସିଷ୍ଟମ ପଠାଇବାକୁ କହିଥିଲା। ଏହାବ୍ୟତୀତ ଋଷରୁ ମିଳିବ ଅତ୍ୟାଧୁନିକ ଅସ୍ତ୍ର, ଗୋଳାବାରୁଦ ଓ ମିସାଇଲ। ଭାରତକୁ ଏହି ପ୍ରତିଶ୍ରୁତି ମିଳିଥିବା ବେଳେ ଆବଶ୍ୟକତା ଅନୁଯାୟୀ ଏକ ତାଲିକା ରୁଷକୁ ଦିଆଯାଇଛି।

ମତାମତ ଦିଅନ୍ତୁ ।