ସୁରକ୍ଷା ବଳୟରେ ଅଯୋଧ୍ୟା: ପ୍ରବେଶ ପଥ ସିଲ୍

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍‌ ଜମି ବିବାଦ ମାମଲାର ଶୁଣାଣି ସୁପ୍ରିମ୍‌ କୋର୍ଟରେ ଶେଷ ହୋଇଛି। ସଂରକ୍ଷିତ ରହିଛି ରାୟ। ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ନଭେମ୍ବର ୧୭ରେ ଅବସର ଗ୍ରହଣ କରିବାକୁ ଯାଉଥିବାରୁ ଆସନ୍ତା ୨୩ ଦିନ ମଧ୍ୟରେ ଅର୍ଥାତ ନଭେମ୍ବର ୧୭ ପୂର୍ବରୁ ରାୟ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି। ମାମଲାଟି ସମ୍ବେଦନଶୀଳତା ଓ ସ୍ପର୍ଶକାତରତାକୁ ଦୃଷ୍ଟିରେ ରଖି ରାୟ ପ୍ରକାଶ ପରେ କାଳେ ଅଯୋଧ୍ୟାରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜିବ ସେଥିପାଇଁ ଉଭୟ କେନ୍ଦ୍ର ସରକାର ଓ ଉତ୍ତରପ୍ରଦେଶ ରାଜ୍ୟ ସରକାର ଆଶଂକିତ ଅବସ୍ଥାରେ ଅଛନ୍ତି। ଏବେଠାରୁ ସତର୍କତା ମୂଳକ ପ୍ରତିଷେଧ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜିଠାରୁ ଅଯୋଧ୍ୟାର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରି ଦିଆଯିବା ସହ କୌଣସି ଅଜ୍ଞାତ ଓ ସନ୍ଦିଗ୍ଧ ବ୍ୟକ୍ତିକୁ ଅଯୋଧ୍ୟା ମଧ୍ୟକୁ ଛଡ଼ାଯାଉ ନାହିଁ। ସମସ୍ତଙ୍କର ପରିଚୟ ପତ୍ରକୁ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି।

ପୂର୍ବରୁ ଉତ୍ତରପ୍ରଦେଶ ସରକାର ଆସନ୍ତା ଡିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଅଯୋଧ୍ୟାରେ ୧୪୪ ଧାରା ଜାରି କରିଥିବା ବେଳେ ବୁଧବାର ଠାରୁ ଆସନ୍ତା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀମାନଙ୍କର ଛୁଟିକୁ ବାତିଲ କରି ଦେଇଛନ୍ତି। ସେହିପରି କେନ୍ଦ୍ର ସରକାର ୧୫୩ କମ୍ପାନି କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳଙ୍କୁ ମୁତୟନ କରାଇ ଅଯୋଧ୍ୟାକୁ ସୁରକ୍ଷା ବାହିନୀର ଦୁର୍ଗ ମଧ୍ୟରେ ବନ୍ଦୀ କରି ଦେଇଛନ୍ତି। ମୁତୟନ ହୋଇଥିବା ୧୫୩ କମ୍ପାନି କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ମଧ୍ୟରେ ଅଛନ୍ତି ସିଆରପିଏଫ୍‌, ରାପିଡ୍‌ ଆକସନ୍‌ ଫୋର୍ସ ଓ ବହୁ ସଶସ୍ତ୍ର ବାହିନୀ।

ମତାମତ ଦିଅନ୍ତୁ ।