ସ୍ୱଚ୍ଛତା ପାଇଁ ବିଦ୍ୟାଳୟଗୁଡିକୁ ପୁରସ୍କାର ପ୍ରଦାନ କରାଯିବ-ଗଣ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ସ୍କୁଲରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମଧ୍ୟରେ ସ୍ୱଚ୍ଛତା ମନଭାବକୁ ବୃଦ୍ଧି କରିବା ପାଇଁ ‘ଓଡ଼ିଶା ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର’ର ଆରମ୍ଭ କରାଯିବ। ଏହି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି ଶିକ୍ଷା ଅନୁଷ୍ଠାନ ଗୁଡ଼ିକର ପଞ୍ଜୀକରଣ ପାଇଁ ଏକ ଆପ୍‌ ବି ପ୍ରସ୍ତୁତ କରାଯାଇଛି। ଇଚ୍ଛୁକ ସରକାରୀ ଓ ଅନୁଦାନ ପ୍ରାପ୍ତ ସ୍କୁଲ ୨୦୧୯ ଅକ୍ଟୋବର ୧୪ ପର୍ଯ୍ୟନ୍ତ ସ୍ୱଚ୍ଛ ପୁରସ୍କାର ପାଇଁ ଆପ୍‌ ମାଧ୍ୟମରେ ନିଜର ପଞ୍ଜୀକରଣ କରି ପାରିବେ। ଅକ୍ଟୋବର ୧୫ରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଆବେଦନ ପତ୍ରଗୁଡ଼ିକର ଯାଞ୍ଚ ହେବ। ନଭେମ୍ବର ୧ରୁ ୧୦ ତାରିଖ ମଧ୍ୟରେ ରାଜ୍ୟସ୍ତରୀୟ ପୁରସ୍କାର ଘୋଷଣା କରାଯିବ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବ୍ଲକ୍‌ ସ୍ତରରେ ଦୁଇହଜାର, ଜିଲ୍ଲାସ୍ତରରେ ୫ହଜାର ଟଙ୍କା, ରାଜ୍ୟସ୍ତରରେ ବିଦ୍ୟାଳୟମାନଙ୍କୁ ୧୦ହଜାର ଟଙ୍କା ପୁରସ୍କାର ଦିଆଯିବ। ସର୍ବମୋଟ ୧,୨୫୬ ସ୍କୁଲକୁ ବ୍ଲକ୍‌ସ୍ତରରେ, ଜିଲ୍ଲାସ୍ତରରେ ୨୪୦ଟି ସ୍କୁଲକୁ ଓ ରାଜ୍ୟସ୍ତରରେ ୪୦ଟି ଶିକ୍ଷାନୁଷ୍ଠାନକୁ ପୁରସ୍କାର ମିଳିବ। ପୁରସ୍କାର ବ୍ୟତୀତ ସ୍କୁଲମାନଙ୍କୁ ୧-୫ ଷ୍ଟାର ବି ମିଳିବ। ଅର୍ଥାତ୍‌ ୯୦ରୁ ୧୦୦ ପ୍ରତିଶତ ସ୍ୱଚ୍ଛ ଥିବା ସ୍କୁଲକୁ ପାଞ୍ଚଟି ଷ୍ଟାର ମିଳିବ। ସେହିପରି ୭୫ରୁ ୮୯ ପ୍ରତିଶତ ସ୍ୱଚ୍ଛ ଥିବା ସ୍କୁଲକୁ ଚାରିଟି ଷ୍ଟାର ମିଳିବ ବୋଲି ସେ ପ୍ରକାଶ କରିଛନ୍ତି।

ମତାମତ ଦିଅନ୍ତୁ ।