ହସ୍ପିଟାଲ ଓ ସପିଂ ମଲ୍ ରେ ପାର୍କିଂ ଫି’ ଆଦାୟ ବନ୍ଦ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍ ଓ ଆପାର୍ଟମେଣ୍ଟ ଆଦିରେ ପାର୍କିଂ ଫି’ ଆଦାୟ ତୁରନ୍ତ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ ପ୍ରାଧିକରଣ (ବିଡିଏ) ନିର୍ଦ୍ଦେଶ ଦେଇଛି।

ବିଡିଏ ପକ୍ଷରୁ ଜାରି ସୂଚନାରେ କୁହାଯାଇଛି ବିଭିନ୍ନ ସପିଂ ମଲ୍, ମଲଟିପ୍ଲେକ୍ସ, ଆପାର୍ଟମେଣ୍ଟ୍ ଓ ହସ୍ପିଟାଲରେ ସାଧାରଣ ଲୋକଙ୍କଠୁ ଗାଡ଼ି ପାର୍କିଂ ଫି’ ଆଦାୟ କରାଯାଉଥିବା ବିଡିଏ ଦୃଷ୍ଟିକୁ ଆସିଛି। ବିଡିଏ ଦ୍ୱାରା ଅନୁମୋଦିତ ହେଉଥିବା ବିଲିଡିଂ ପ୍ଲାନ୍ ଓ ବିଡିଏର ଅନ୍ୟାନ୍ୟ ନିୟମ ଅନୁସାରେ ଏହା ଠିକ୍ ନୁହେଁ। ତେଣୁ ବେଆଇନ ଭାବେ ଆଦାୟ କରାଯାଉଥିବା ପାର୍କିଂ ଫି’କୁ ତୁରନ୍ତ ବନ୍ଦ କରିବାକୁ ବିଡିଏ ନିର୍ଦ୍ଦେଶ ଦେଇଛି।

ବିଲିଡିଂ ପ୍ଲାନ୍ ଆପ୍ରୁଭାଲ୍‌ ସମୟରେ ଗାଡ଼ି ରଖିବା ପାଇଁ ପାର୍କିଂ ଅଞ୍ଚଳ ଯେତିକି ଅନୁମୋଦନ କରାଯାଇଛି ତାହା ଅନ୍ୟ ଉଦ୍ଦେଶ୍ୟରେ ଉପଯୋଗ ହେଉଥିବାରୁ ରାସ୍ତାରେ ଗାଡ଼ି ପାର୍କିଂ ଘଟଣା ବୃଦ୍ଧି ପାଉଛି। ଯାହାକି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ଏଥିପ୍ରତି କଡ଼ା ନଜର ରଖାଯାଇଛିି ବୋଲି ବିଡିଏ ପକ୍ଷରୁ କୁହାଯାଇଛି।

ମତାମତ ଦିଅନ୍ତୁ ।