୧୫୦ ଫୁଟ ଉଚ୍ଚ ଟାୱାର ଚଢ଼ି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଫୁଲବାଣୀ: ଫୁଲବାଣୀ ଅମଲାପଡା ସ୍ଥିତ ରିଲାଏନ୍ସ ଟେଲିଫୋନ ଟାୱାରରେ ଚଢ଼ି ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ତାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଜଣେ ମହିଳା ଟାୱାର ଉପରେ ଚଢୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସ୍ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମହିଳା ଜଣକ ପ୍ରାୟ ୧୫୦ ଫୁଟ ଉଚ୍ଚ ପର୍ଯ୍ୟନ୍ତ ଚଢି ସାରିଥିଲେ।

ଅଗ୍ନିଶମ ବାହିନୀର କର୍ମଚାରୀମାନେ ସଙ୍ଗେ ସଙ୍ଗେ ଟାୱାର ଉପରେ ଚଢି ମହିଳାଙ୍କୁ କାବୁ କରିବ ସହିତ ବହୁ କଷ୍ଟରେ ତାଙ୍କୁ ତଳକୁ ଓହ୍ଲାଇଥିଲେ। ମହିଳାଙ୍କୁ ଉଦ୍ଧାର କରିବାକୁ ସେମାନଙ୍କୁ ପ୍ରାୟ ୪୫ ମିନିଟ୍ ସମୟ ଲାଗି ଯାଇଥିଲା। ତଳକୁ ଆଣିବା ପରେ ତାଙ୍କୁ ପୁଲିସ୍ ଗାଡିରେ ହସ୍ପିଟାଲ ନିଆଯାଇଛି। ମହିଳା ଜଣଙ୍କର ପରିଚୟ ମିଳିନଥିବା ବେଳେ ତାଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ। ତାଙ୍କର ଟିକେ ମସ୍ତିଷ୍କ ବିକୃତ ଥିବା ତାଙ୍କ କଥାବାର୍ତ୍ତାରୁ ଜଣାପଡୁଛି। ତାଙ୍କୁ ହସ୍ପିଟାଲରେ ଖାଇବାକୁ ନ ଦେବାରୁ ଆତ୍ମହତ୍ୟା କରୁଥିବା କହୁଥିବା ବେଳେ କେତେବେଳେ ସେ ତାଙ୍କ ଘରକୁ ଯାଉଥିଲେ ବୋଲି କହୁଛି। ଟାଉନ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।