୭୫% ଉପସ୍ଥାନ ନଥି‌ଲେ ପରୀକ୍ଷା ଦେଇପାରିବେନି ଡିପ୍ଲୋମା ଛାତ୍ରଛାତ୍ରୀ

ଭୁବନେଶ୍ବର : ଏଣିକି ଡିପ୍ଲୋମା କଲେଜ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କଡ଼ାକଡ଼ି ଲାଗୁ ହେବ। ଯୁକ୍ତ୨ ଓ ଯୁକ୍ତ୩ ପରି ଯେଉଁ ଛାତ୍ରଛାତ୍ରୀଙ୍କର ୭୫ ପ୍ରତିଶତ ଉପସ୍ଥାନ ନଥିବ ସେମାନେ ପରୀକ୍ଷା ଦେଇପାରିବେନି। ଡିପ୍ଲୋମା ପାଠ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଓ ପାସ୍‌ହାର ନୈରାଶ୍ୟଜନକ ହେଉଥିବା ଯୋଗୁ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ ଏହି ନିଷ୍ପତ୍ତି ନେଇଛି।

ପରିଷଦ ପକ୍ଷରୁ କୁହାଯାଇଛି ପଲିଟେକ୍ନିକାଲ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଡିପ୍ଲୋମା ଛାତ୍ରଛାତ୍ରୀମାନେ ପ୍ରତି ସେମିଷ୍ଟର ପରୀକ୍ଷା ପାଇଁ କ୍ଲାସରେ ଅତି କମ୍‌ରେ ୭୫ପ୍ରତିଶତ ଉପସ୍ଥାନ ରଖିବା ଆବଶ୍ୟକ। ଏହାଛଡା ଡିପ୍ଲୋମା ପଢୁଥିବା ଛାତ୍ରଛାତ୍ରୀଙ୍କୁ ନିୟମିତ କ୍ଲାସରେ ଉପସ୍ଥିତ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରତିଦିନ ଯିବା ଓ ଆସିବା ସମୟରେ ବାୟୋମେଟ୍ରିକ୍‌ ମେସିନ୍‌ରେ ଫିଙ୍ଗରପ୍ରିଣ୍ଟ ଦେବେ।

ଯେଉଁ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତରୁ କମ୍‌ ରହିବ, ସେମାନେ ସେମିଷ୍ଟର ପରୀକ୍ଷା ଦେବାରୁ ବଞ୍ଚିତ ହେବେ। ପରବର୍ତୀ ବର୍ଷରେ ପୁନର୍ବାର ସେହି ସେମିଷ୍ଟରରେ ଆଡମିସନ୍‌ ନେବେ। କିନ୍ତୁ ପ୍ରଥମ ସେମିଷ୍ଟରରେ ଉପସ୍ଥାନ ୭୫ ପ୍ରତିଶତରୁ କମ୍‌ ରହିଲେ ପୁର୍ନବାର ଆଡମିସନ ସୁବିଧା ମିଳିବ ନାହିଁ। ସ୍ୱାସ୍ଥ୍ୟଗତ କାରଣ ଥିଲେ ଉପସ୍ଥାନକୁ ୬୦ ପ୍ରତିଶତ ଧରାଯିବ। ଏହି ବ୍ୟବସ୍ଥା ୨୦୧୯ ଶୀତକାଳୀନ ପରୀକ୍ଷାରୁ ଆରମ୍ଭ ହୋଇ ଆଗାମୀ ସମସ୍ତ ପରୀକ୍ଷାରେ ଲାଗୁ କରାଯିବ ବୋଲି ପରିଷଦ ସୂତ୍ରରୁ ଜଣାପଡିଛି।

ମତାମତ ଦିଅନ୍ତୁ ।