୯ଜଣଙ୍କୁ ରକ୍ଷା କରିବାକୁ ଯାଇ ୧୨ ପୋଲିସ ଆହତ

ନୂଆଦିଲ୍ଲୀ : ଦକ୍ଷିଣ ଆସାମର ହୈଲାକାଣ୍ଡି ଜିଲ୍ଲା ଅନ୍ତର୍ଗତ ନିତାଇନଗର ଗ୍ରାମରେ ୯ଜଣ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ ମାଡ଼ରୁ ରକ୍ଷା କରିବାକୁ ଯାଇ ୧୨ ଜଣ ନିରାପତ୍ତା କର୍ମଚାରୀଙ୍କ ସମେତ କେତେକ ଗ୍ରାମବାସୀ ଆହତ ହୋଇଛନ୍ତି।

ଶୁକ୍ରବାର ରାତିରେ ହୈଲାକାଣ୍ଡି ସଦର ଥାନା ଭାରପ୍ରାପ୍ତ ଅଧିକାରୀ ହେମନ୍ତ କୁମାର ଦାସ ଓ ଦ୍ୱିତୀୟ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ, ଅଲଗ୍‌ପୁର ଥାନାର ଭାରପ୍ରାପ୍ତ ଅଧିକାରୀ ବୋରାତ ଚନ୍ଦ୍ର କର ଏବଂ ସିଆର୍‌ପିଏଫ୍‌ର ଦୁଇଜଣ ଯବାନ ସାଙ୍ଘାତିକ ଆହତ ହୋଇଛନ୍ତି। ହୈଲାକାଣ୍ଡି ସହର ଠାରୁ ୧୩ କିଲୋମିଟର ଦୂର ନିତାଇନଗର ଗ୍ରାମରେ ଦଳେ ଉତ୍ତ୍ୟକ୍ତ ଲୋକଙ୍କ ଠାରୁ ଠେଙ୍ଗା ପାହାର ଖାଉଥିବା ଚାରିଜଣ ବ୍ୟକ୍ତିଙ୍କୁ ରକ୍ଷା କରିବାକୁ ଯାଇ ଆକ୍ରମଣର ସରବ୍ୟ ହୋଇଥିବା କଥା ସେମାନେ କହିଛନ୍ତି।

ଜିଲ୍ଲା ଅତିରିକ୍ତ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ବରୁଣ ପୁର୍‌କ୍ୟସ୍ଥ କହିଛନ୍ତି ପୁଲିସ କନେଷ୍ଟବଳ ଜାମିଲ୍‌ ହୁସେନ୍‌ଙ୍‌କ ସମେତ ୯ଜଣିଆ ଲୋକଙ୍କର ଏକ ଦଳ ନିତାଇନଗର ସାପ୍ତାହିକ ଗୋରୁହାଟ ଲସ୍କର୍‌ବଜାରକୁ ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ପିଲାଚୋର ସନ୍ଦେହରେ ଘେରିଯାଇ ଆକ୍ରମଣ କଲେ। ସେମାନେ ଆସିଥିବା ଗାଡ଼ିଟିକୁ ମଧ୍ୟ ପୋଡ଼ି ଦେଇଥିଲେ। ଏହି ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମତାମତ ଦିଅନ୍ତୁ ।