୧୦ ହଜାର ଭାରତୀୟଙ୍କ ଉପରେ ଚୀନର ନଜର: ତାଲିକାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ : ସୀମାକୁ ନେଇ ଚୀନ-ଭରତ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଉଭୟ ଦେଶର ସେନା ମୁହାଁମୁହିଁ ସ୍ଥିତିକୁ ଆସିଥିବା ବେଳେ ବିବାଦର ସମାଧାନ ପାଇଁ ଚାଲିଛି ଆଲୋଚନା। ଏହିଭଳି ସ୍ଥିତିରେ ଏକ ନୂଆ ଖବର ସାମ୍ନାକୁ ଆସିଛି। ସେନ୍‌ଜେନ୍‌ର ‘ଝେନ୍‌ହୁଆ ଡାଟା ଇନ୍‌ଫର୍ମେସନ୍ ଟେକ୍ନୋଲୋଜି କୋ. ଲିମିଟେଡ୍‌’ ୧୦ ହଜାରରୁ ଅଧିକ ଭାରତୀୟ ଓ ପ୍ରତିଷ୍ଠାନ ଉପରେ ନଜର ରଖିଛି। ଚୀନ୍ ସରକାର ଓ ଚୀନ୍ କମ୍ୟୁନିଷ୍ଟ୍‌ ପାର୍ଟି ସହ ସମ୍ପର୍କ ଥିବା ଏହି କମ୍ପାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦେଶର କେତେକ ପ୍ରମୁଖ ବ୍ୟକ୍ତିଙ୍କ ସମ୍ପର୍କରେ ଦୃଷ୍ଟି ରଖିଥିବା ରିପୋର୍ଟରୁ ଜଣାପଡ଼ିଛି।

ଚୀନ୍‌ର ଏହି କମ୍ପାନି ତାଲିକାରେ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବ୍ୟତୀତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପରିବାର। ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଶୋକ ଗେହଲଟ୍‌, ଅମରିନ୍ଦର ସିଂହ, ଉଦ୍ଧବ ଠାକ୍‌ରେ, ନବୀନ ପଟ୍ଟନାୟକ ଓ ଶିବରାଜ ସିଂହ ଚୌହାନ, କ୍ୟାବିନେଟ୍‌ ମନ୍ତ୍ରୀ ରାଜନାଥ ସିଂହ, ରବିଶଙ୍କର ପ୍ରସାଦ, ନିର୍ମଳା ସୀତାରମଣ, ସ୍ମୃତି ଇରାନୀ, ପୀୟୁଷ ଗୋୟଲ ଓ ସିଡିସି ବିପିନ ସିଂହ ରାୱତ୍‌ ନଜର ରଖାଯାଇଛି। ଏହାଛଡା ଅନ୍ୟୂନ ୧୫ଜଣ ପୂର୍ବତନ ସେନା, ନୌସେନା-ବାୟୁସେନା ମୁଖ୍ୟ, ଭାରତର ପ୍ରଧାନ ବିଚାରପତି ଶରଦ ବୋବ୍‌ଡ଼େ ଏବଂ ବିଚାରପତି ଏଏମ୍‌ ଖାନ୍‌ୱିଲ୍କର୍, ଲୋକପାଳ ବିଚାରପତି ପିସି ଘୋଷ, କମ୍ପ୍ଟ୍ରୋଲର୍‌ ଆଣ୍ଡ୍ ଅଡିଟର୍‌ ଜେନେରାଲ୍ ଜିସି ମୁର୍ମୁ, ଉଦ୍ୟୋଗୀ ନିପୁନ୍ ମେହେରା, ଅଜୟ ତ୍ରେହାନ୍, ଶୀର୍ଷସ୍ତରୀୟ ଶିଳ୍ପପତି ରତନ ଟାଟା ଓ ଗୌତମ ଅଦାନିଙ୍କ ନାଁ କମ୍ପାନି ତାଲିକାରେ ରହିଛି।

କେବଳ ସେତିକି ନୁହେଁ ପ୍ରମୁଖ ପଦବୀରେ ଥିବା ଅମଲା, ବିଚାରପତି, ବୈଜ୍ଞାନିକ, ଶିକ୍ଷାବିତ୍, ସାମ୍ବାଦିକ, ଅଭିନେତା, କ୍ରୀଡ଼ାବିତ୍‌, ଧାର୍ମିକ ନେତା, ସାମାଜିକକର୍ମୀ, ଆର୍ଥିକ ଅପରାଧ, ଦୁର୍ନୀତି, ଆତଙ୍କବାଦ, ନିଶା ଔଷଧ ଚୋରାଚାଲାଣକାରୀ, ସୁନା ଅସ୍ତ୍ରଶସ୍ତ୍ର ଓ ବନ୍ୟପ୍ରାଣୀ ଚାଲାଣରେ ଅଭିଯୁକ୍ତ ବ୍ୟକ୍ତିଙ୍କ ଉପରେ ମଧ୍ୟ ଚୀନ କମ୍ପାନି ନଜର ରଖିଥିବା ରିପୋର୍ଟରେ କୁହାଯାଇଛି।

ମତାମତ ଦିଅନ୍ତୁ ।